ରାୟଗଡ଼ା: ବିଏସଏଫ ଅତିରିକ୍ତ ଡିଜି ପି. ଭି ରାମଶାସ୍ତ୍ରି ଆଜି ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ଫେରିଛନ୍ତି । ଏକ ସ୍ବତନ୍ତ୍ର ବିଏସଏଫ ହେଲିକପ୍ଟର ଯୋଗେ ଆସି ଜେକେପୁରସ୍ଥିତ ପୋଲିସ ରିଜର୍ଭ ପଡିଆରେ ପହଞ୍ଚିଥିଲେ ବିଏସଏଫ ଅତିରିକ୍ତ ଡିଜି । ସେଠାରୁ ସିଧା ରାୟଗଡାସ୍ଥିତ ବିଏସଏଫ ୬୮ ନମ୍ବର ବାଟାଲିୟନ ମୁଖ୍ୟାଳୟ ଆସି ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିଛନ୍ତି ।
ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବିଏସଏଫ ଅତିରିକ୍ତ ଡିଜି । ମୁଖ୍ୟତଃ ମାଓବାଦୀ ଦମନ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ପୋଲିସ ଓ ବିଏସଏଫ ମଧ୍ୟରେ ସମନ୍ୱୟ ରକ୍ଷା କରି କିଭଳି ମାଓବାଦୀଙ୍କ ବିରୋଧରେ ଅପରେସନ ଠିକ୍ ଭାବେ ଆଗେଇବ ତାହାରି ଉପରେ ବିଶେଷ ଆଲୋଚନା କରିଥିଲେ ଅତିରିକ୍ତ ଡିଜି ।
ଏହା ବ୍ୟତୀତ ବିଏସଏଫ ପକ୍ଷରୁ ଏକ ନୂତନ କ୍ୟାମ୍ପ ପ୍ରତିଷ୍ଠା ନେଇ ସ୍ଥାନ ନିରୂପଣ ହୋଇଥିବା ଜଣାପଡିଛି । ଏହି ବୈଠକରେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଯୋଗଦେଇ ନୂତନ କ୍ୟାମ୍ପ ପ୍ରତିଷ୍ଠା ସାଙ୍ଗକୁ ମାଓବାଦୀ ଦମନ ନେଇ ସବିଶେଷ ଆଲୋଚନା କରିଥିଲେ ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ