ରାୟଗଡା: ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ଉଠାଇଲା ବିଜେପି । ରାୟଗଡା ସହରରେ ପ୍ରାୟ 52ରୁ ଅଧିକ ବସ୍ତି ରହିଛି । ହଜାର ହଜାର ସଂଖ୍ୟାରେ ଲୋକେ ସେହି ବସ୍ତିରେ ବସବାସ କରୁଛନ୍ତି । କିନ୍ତୁ ଅନେକ ସମୟରେ ସେମାନଙ୍କୁ ପ୍ରଶାସନିକ ଆକ୍ରୋଶର ଶିକାର ହେବାକୁ ପଡୁଛି । ସରକାରୀ ସ୍ଥାନରେ ଜନବସତି ସ୍ଥାପନ ହୋଇଥିବାରୁ ଅନେକ ସମୟରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଛେଦ କରାଯାଉଛି । ଏଭଳି ସ୍ଥଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛି ରାୟଗଡା ନଗର ବିଜେପି ।
ତେବେ ସେମାନଙ୍କୁ ଥଇଥାନ କରିବା ଦାବି ନେଇ ଆଜି(ସୋମବାର) ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାୟୀ ପଟ୍ଟା ନଥିବା ଯୋଗୁଁ ବସ୍ତିବାସିନ୍ଦା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ତେବେ ବାସହରା ଲୋକଙ୍କୁ ଥଇଥାନ କରିବା ପାଇଁ ଦଳ ପକ୍ଷରୁ ରାୟଗଡା ତହସିଲଦାରଙ୍କୁ ଅବଗତ କରାଇବା ପରେ ସହରର ଜନସ୍ବାର୍ଥ ବିଭାଗ କାର୍ଯ୍ୟାଳୟ ନିକଟରେ 15 ଏକର ଜମି ଚିହ୍ନଟ କରାଯାଇଥିଲା । ଆଉ ସେହି ଜମିକୁ ବସ୍ତିବାସିନ୍ଦାଙ୍କୁ ପ୍ରଦାନ କରିବା ପାଇଁ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ତହସିଲଦାର ଅବଗତ କରାଇଥିଲେ । କିନ୍ତୁ ଜାଗା ଚିହ୍ନଟ ହେବାର ଦୀର୍ଘ ଦିନ ପରେ ମଧ୍ୟ ବସ୍ତିବାସିନ୍ଦାଙ୍କୁ ପୌରପରିଷଦ କାର୍ଯ୍ୟାଳୟ ପକ୍ଷରୁ ସହାୟତା ପ୍ରଦାନ କରାଯାଉନି । ଫଳରେ ଲୋକେ ପ୍ରତିଦିନ ଜବରଦଖଲ ଉଛେଦ ନେଇ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ତେବେ ସ୍ଥାନୀୟ ବସ୍ତିବାସିନ୍ଦାଙ୍କୁ ତୁରନ୍ତ ଜାଗା ଚିହ୍ନଟ କରି ଥଇଥାନ କରିବା ପାଇଁ ବିଜେପି ପକ୍ଷରୁ ରାୟଗଡା ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ