ରାୟଗଡା: ଧର୍ମପୀଠ, ମଣ୍ଡପ, ପାର୍କ ଖୋଲିବାକୁ ଦାବି କଲା ଯୁବ ବିଜେଡି । କୋରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏସବୁ ଖୋଲିବାକୁ ଦାବି କରିଛନ୍ତି । ଠାକୁର ଦର୍ଶନରୁ ଲୋକେ ବଞ୍ଚିତ ହେବା ସହ ଆମୋଦ ପ୍ରମୋଦ ଓ ବିବାହ ବ୍ରତ ସମୟରେ ଭୋଜି କାର୍ଯ୍ୟରେ ଲୋକେ ନାହିଁ ନଥିବା ହଇରାଣର ସାମ୍ନା କରୁଛନ୍ତି । ଫଳରେ ଏସବୁ ଖୋଲିବାକୁ ଖୋଦ୍ ବିଜେଡିର ଯୁବ କର୍ମୀମାନେ ଆଜି ରାୟଗଡା ଜିଲ୍ଲାପାଳଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି ।
ଜିଲ୍ଲାର ପ୍ରମୁଖ ମନ୍ଦିର ମା’ ମଝିଘରିଆଣୀଙ୍କ ମନ୍ଦିର ମାର୍ଚ୍ଚ ୨୫ ତାରିଖରୁ ବନ୍ଦ ରହିଛି । ପାର୍କ, କଲ୍ୟାଣ ମଣ୍ଡପ ବି ଖୋଲା ଯାଉନି । ସେପଟେ, ରାଜ୍ୟ ସରକାର ପୁରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସବୁଜ ସଙ୍କେତ ଦେଇସାରିଛନ୍ତି । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଉପରେ ମନ୍ଦିର, ଧର୍ମାନୁଷ୍ଠାନ ଖୋଲିବା ନେଇ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ରାଜ୍ୟ ସରକାର।
ଅନ୍ୟପଟେ, ଜିଲ୍ଲା ପୋଲିସ୍-ପ୍ରଶାସନ-ସ୍ବାସ୍ଥ୍ୟ ବିଭାଗର ଉଦ୍ୟମ କ୍ରମେ ରାୟଗଡା କୋରୋନା ମୁକାବିଲାରେ ସଫଳ ହେବା ସହିତ ସଂକ୍ରମଣ ଶୂନ୍ୟ ହୋଇଛି। ଏଣୁ ଆଗାମୀ ଦିନରେ ମନ୍ଦିର ଖୋଲିବା ଦିଗରେ ପଦକ୍ଷେପ ନେବାକୁ ବିଜୁ ଯୁବ ଜନତା ଦଳ ସଭାପତି ଦେବାଶିଷ ଖାଡଙ୍ଗା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ସାକ୍ଷାତ କରି ନିବେଦନ କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେହିପରି ସହରର କେନ୍ଦ୍ରସ୍ଥଳୀରେ ଥିବା ଗାନ୍ଧୀ ପାର୍କକୁ ଖୋଲିବା ପାଇଁ ମଧ୍ୟ ଦାବି ହୋଇଛି।
ଯୁବ ବିଜେଡି ଉପସଭାପତି ଜଗନ୍ନାଥ ଦୋରା, ଜିଲ୍ଲା ଯୁବ ବିଜେଡ଼ି ସଂପାଦକ ପି. ସାଇ ପ୍ରସାଦ, ଦିଲ୍ଲୀପ କୁମାର ସାହୁ, କେ. ଶ୍ରୀନିବାସ, ଆଇଟି ସେଲ୍ ସଂଯୋଜକ ଅଭିଜିତ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ