ରାୟଗଡା: ସୁଧୁରିବାର ନା ନେଉନି ସ୍ୱାସ୍ଥ୍ୟ ବିଭାଗ । ବିଭାଗୀୟ ଅଧିକାରୀଙ୍କ କେଉଁଠି ନା କେଉଁଠି ଇଛାଶକ୍ତିର ଅଭାବ ଦେଖିବାକୁ ମିଳୁଛି । ଯାହାର ପରିଣାମ ସ୍ୱରୁପ ଗାଁ ଗହଳିରେ ରହୁଥିବା ଗରିବ ରୋଗୀକୁ ଭୋଗିବାକୁ ପଡ଼ୁଛି ଯନ୍ତ୍ରଣା । ଭରା ନଇ ପାର କରିବା ପରେ ଆମ୍ବୁଲାନ୍ସ ନମିଳିବାରୁ ଶେଷରେ 15 କିଲୋମିଟର ମୋଟର ସାଇକେଲରେ ବୁହା ହେଲେ ରୋଗୀ ।
ଏହି ଦୃଶ୍ୟ ହେଉଛି ଗୁଡ଼ାରି ବ୍ଲକ ଶିରିଗୁଡ଼ା ପଞ୍ଚାୟତର ଚୁଲିପଡ଼ା ଗାଁର । ଗାଁର ବିଧବା ମହିଳା ରୁମେସି ଜାଗରଙ୍ଗା ଜ୍ୱରରେ ପିଡ଼ିତ ଥିଲେ । ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ପରିବାର ଲୋକେ ପ୍ରଥମେ ବଡ଼ପଙ୍କାଳ ପର୍ଯ୍ୟନ୍ତ ୩ କିଲୋମିଟର ଖଟିଆରେ ବୋହି ନଇ ପାର ହେବା ପରେ ବିପଦ ଶଙ୍କୁଳ ଭାବେ ୧୫ କିଲୋମିଟର ମୋଟର ସାଇକେଲ ଯୋଗେ ଗୁଡାରି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ତେବେ ବାରମ୍ବାର ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ପହଁଞ୍ଚି ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଏହି ଅବହେଳାକୁ ସ୍ୱିକାର କରିଛନ୍ତି ଜିଲ୍ଲା ଚିକିତ୍ସାଅଧିକାରୀ ଓ ମାମଲାରେ ତଦନ୍ତ କରାଯିବ ବୋଲି କହିଛନ୍ତି ଅଧିକାରୀ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ