ରାୟଗଡା: ଭାରତର ସମ୍ବିଧାନ ପ୍ରଣେତା ବାବାସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ସହରର ବସଷ୍ଟାଣ୍ଡ ନିକଟସ୍ଥ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖ ଟ୍ରାଫିକ ଛକ ଓ ରାମା ଟକିଜ ନିକଟସ୍ଥ ଆମ୍ବେଦକର ନଗରରେ ଅବସ୍ଥାପିତ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମଝା ମଲ୍ୟାର୍ପଣ କରିଥିଲେ ।
ଏହାପରେ ସ୍ଥାନୀୟ ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ସମୋନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ, ଆମ୍ବେଦକର ହେଉଛନ୍ତି ସାମାଜିକ ଗଣତନ୍ତ୍ରର ପ୍ରତିଷ୍ଠାତା ଥିଲେ ଓ ସାମାଜିକ ଗଣତନ୍ତ୍ର ସଫଳ ହେଲେ ରାଜନୈତିକ ଗଣତନ୍ତ୍ର ସଫଳ ହେବ ବୋଲି ସେ କହିଥିଲେ l ସେହିପରି ବିକ୍ରମ ଦେବ କଲେଜ ଜୟପୁରର ଅଧ୍ୟାପକ ଡ଼ଃ ପଙ୍କଜ କୁମାର ନାଏକ ମଧ୍ୟ ଯୋଗ ଦେଇ ଡ଼ଃ.ଭୀମାରାଓ ଆମ୍ବେଦକରଙ୍କ ସଙ୍ଘର୍ଷମୟ ଜୀବନ ଓ ଭାରତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ ।
ଏହାପରେ ରାୟଗଡ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନତା ମଧ୍ୟରେ ଏକତା ଉପରେ ଏକାଙ୍କିକା ପ୍ରଦର୍ଶନ କରି ଦେଶର ଜାତୀୟ ସଂହତି ରକ୍ଷା ଉପରେ ସୁନ୍ଦର ବାର୍ତ୍ତା ଦେଇଥିଲେ । ଅମ୍ବେଦକରଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗିମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ