ରାୟଗଡା: ମୃତ ବ୍ୟକ୍ତିଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ଉଠା ଚାଲିଛି ହେଲେ ତାହା ଭୂତ ପାଉଛି । ଏମିତି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ରାୟଗଡା ଜିଲ୍ଲା ଗୁଣୁପୁରର ଶ୍ରୀନିବାସ ସୁନାମୁଦି । ଶ୍ରୀନିବାସଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବାପା ମଧୁସୂଦନ ସୁନାମୁଦି ଗତ 19.2.2018 ରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ପୂର୍ବରୁ ସେ 500 ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଗୁଣୁପୁର ମୁନିସିପାଲଟିରୁ ପାଉଥିଲେ । ମଧୁସୂଦନଙ୍କ ମୃତ୍ୟୁ ପରେ ତାଙ୍କ ମୃତ୍ୟୁ ପ୍ରମାଣପତ୍ର ପୁଅ ଶ୍ରୀନିବାସଙ୍କୁ ପ୍ରଦାନ କରାଯାଇଥିଲା ।
ତେବେ କୌଣସି କାର୍ଯ୍ୟ ପାଇଁ ସେ ମୁନିସିପାଲିଟିକୁ ଯାଇଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଡ଼ିସେମ୍ବର 2020 ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ବାବଦରେ 500 ଟଙ୍କା ଅନ୍ୟ କେହି ଉଠାଉ ଥିବା ଜାଣିବାକୁ ପାଇଥିଲେ । 34 ମାସର ଭତ୍ତା ଟଙ୍କା ଅନ୍ୟ କେହି ଜଣେ ହଡପ କରୁଥିବା ଜାଣି ଆଜି ଗୁଣୁପୁର ଉପଜିଲ୍ଲାପାଳ, ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗୁଣୁପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ଅବଗତ କରାଇବାରୁ ଅଭିଯୋଗ ହସ୍ତଗତ ହୋଇଛି ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ