ରାୟଗଡା: ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବାବେଳେ ଉଦ୍ଧାର କଲା ରାୟଗଡା ପୋଲିସ । ରାୟଗଡା ରେଳଷ୍ଟେସନରୁ ଗତକାଲି ସନ୍ଧ୍ୟାରେ 27 ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ସେମାନଙ୍କ ମଧ୍ୟରେ 2ଜଣ ପୁରୁଷ, 25 ଜଣ ମହିଳା ଓ ଶିଶୁ ଦାଦନ ଶ୍ରମିକ ରହିଛନ୍ତି ।
ବିଳାସପୁର-ତିରୁପତି ଟ୍ରେନ ଯୋଗେଁ ଆନ୍ଧ୍ରକୁ ଦାଦନ ଖଟିବାକୁ ଚାଲାଣ ହେଉଥିବାବେଳେ ଏମାନଙ୍କୁ ପୋଲିସ ଉଦ୍ଧାର କରିଛି । ଉଦ୍ଧାର ସମସ୍ତ ଦାଦନ ଶ୍ରମିକଙ୍କ ଘର ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ।
ଏଥିସହ ସେମାନଙ୍କୁ ଚାଲାଣ କରୁଥିବା ୬ ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି । ଦଲାଲଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଆନ୍ଧ୍ରର ଏକ ଚିଙ୍ଗୁଡି କାରଖାନାରେ କାମ କରିବାକୁ ଯାଉଥିବା ଖବର ପାଇ ଏସପି ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ରାୟଗଡା, ଚାନ୍ଦିଲି ଓ ରେଳବାଇ ପୁଲିସ ମିଳିତ ଚଢ଼ାଉ କରି ସମସ୍ତ ଦାଦନଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଦାଦନଙ୍କ ମଧ୍ୟରୁ ୬ ଜଣ ନାବାଳିକା ଥିବାରୁ ସେମାନଙ୍କୁ ଚାଇଲ୍ଡ ଲାଇନରେ ହସ୍ତାନ୍ତର କରାଯାଇଥିଲା । ଆଜି ସେମାନଙ୍କୁ ପରିବାରଙ୍କୁ ହସ୍ତାନ୍ତର କରାଯାଇ ରେଳବାଇ ପୁଲିସ ତଦନ୍ତ ଆରମ୍ଭ କରିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ