ରାୟଗଡା: ଜିଲ୍ଲାରେ ପୁଣି କାୟା ବିସ୍ତାର କଲା କୋରୋନା । ସେପ୍ଟେମ୍ବର ମାସ ଆରମ୍ଭରୁ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର ଥିଲା । ୨ଦୁଇ ଦିନରେ ଜିଲ୍ଲାରୁ ୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ଜିଲ୍ଲାବାସୀଙ୍କୁ ସାମୟିକ ଆଶ୍ବସ୍ଥି ପ୍ରଦାନ କରିଥିଲା । ମାତ୍ର ଶୁକ୍ରବାର ୧୬୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗୁରୁବାର ଜିଲ୍ଲାରୁ ୧୧୧ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ୧୬୯ ଜଣ ଚିହ୍ନଟ ହୋଇଛନ୍ତି । ଧୀରେ ଧୀରେ ଜିଲ୍ଲାରେ ପୁଣି ଥରେ ଅଧିକ ସଂଖ୍ୟାରେ ପିଜିଟିଭ୍ ଚିହ୍ନଟ ହେଉଥିବାରୁ ଜିଲ୍ଲାବାସୀଙ୍କ ମନରେ ଛନକା ପସିଛି ।
ଜିଲ୍ଲାର ସମସ୍ତ ଦୋକାନ ବଜାର କୋଭିଡ-୧୯ ଗାଇଡଲାଇନର ପାଳନ ସହ ଖୋଲିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । ସହରାଞ୍ଚଳରେ ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ସହରବାସୀଙ୍କୁ ସଜାଗ ଏବଂ ସତର୍କତା ଅବଲମ୍ବନ କରିବା ପାଇଁ ନିବେଦନ କରିଛନ୍ତି । ଏଥିସହିତ ସମସ୍ତ ଜିଲ୍ଲାବାସୀ ମିଶି କୋରୋନାର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆହ୍ବାନ କରିଛନ୍ତି ।
ଶୁକ୍ରବାର ଜିଲ୍ଲାରୁ ୧୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୧୭ ପୁରୁଷ ଏବଂ ୫୨ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୬୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୧୨ ଜଣ କୋରୋନା ଯୋଦ୍ଧା ସଂକ୍ରମଣର ଶୀକାର ହୋଇଛନ୍ତି ।
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡା ସହରାଞ୍ଚଳରୁ ୪୨, ମୁନିଗୁଡାରୁ ୩୭, କଲ୍ୟାଣସିଂହପୁରରୁ ୩୬, ଗୁଣପୁର ସହରାଞ୍ଚଳରୁ ୨୭, ରାୟଗଡା ଗ୍ରାମାଞ୍ଚଳରୁ ୧୦, ପଦ୍ମପୁରରୁ ୫, ବିଷମକଟକରୁ ୨, ଗୁଡାରୀରୁ ୩, ରାମନାଗୁଡାରୁ ୩, ଗୁଣପୁର ଗ୍ରାମାଞ୍ଚଳରୁ ୨, କାଶିପୁର ଏବଂ କଲୋନରାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୪୧ ରେ ପହଞ୍ଚିଛି । ତେବା ୪୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୃତ୍ୟୁ ସଂଖ୍ୟା ୨୬ ରେ ପହଞ୍ଚିଛି ।
୬୮୩ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ହେଉଛନ୍ତି । ତେବେ ଦିନକୁ ଦିନ କୋରୋନା ଯୋଦ୍ଧା ସଂକ୍ରମଣର ଶୀକାର ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଏଯାବତ ଜିଲ୍ଲାରୁ ୫୭୬ ଜଣ ସଂକ୍ରମଣର ଶିକାର ହୋଇଥିବା ବେଳେ ୪୪୨ ସୁସ୍ଥ ହୋଇଛନ୍ତି ଏବଂ ୧୩୪ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ