ରାୟଗଡା: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ଜିଲ୍ଲାରେ ବଢୁଛି ରାଜନୈତିକ ଉଷ୍ମତା । ତେବେ ରାୟଗଡା ଜିଲ୍ଲାର ୨୨ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ମହିଳାଙ୍କ ପାଇଁ ୧୧ଟି ଆସନ ସଂରକ୍ଷିତ ରହିଛି । ଏହାକୁ ନେଇ ଜିଲ୍ଲାରେ ରାଜନୈତିକ ଉଷ୍ମତା ବେଶ ସରଗରମ ରହିଛି ।
ଆସନ୍ତା ଫେବୃଆରୀ ୧୬ ରୁ ୨୪ ପର୍ଯ୍ୟନ୍ତ ପାଞ୍ଚୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଘୋଷାଣା ପରେ ଏହାର ପ୍ରଭାବ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି । ପ୍ରଥମେ ୧୬ ତାରିଖରେ ବିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଲକରେ ଭୋଟ ଗ୍ରହଣ କରାଯିବ । ସେହିପରି ୧୮ରେ ଗୁଣୁପୁର ଏବଂ ରାମନାଗୁଡା , ୨୦ରେ କାଶୀପୁର ଓ କଲ୍ୟାଣସିଂପୁର ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ପରେ ୨୨ ତାରିଖରେ ରାୟଗଡା ଓ କୋଲନରା ବ୍ଲକରେ ଏବଂ ଶେଷରେ ୨୪ରେ ପଦ୍ମପୁର ଓ ଗୁଡାରୀ ବ୍ଲକରେ ଭୋଟ ଗ୍ରହଣ ହେବ ବୋଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ ।
ବିଜ୍ଞପ୍ତି ଅନୁସାରେ ଚଳିତ ମାସ ୧୭ ରୁ ୨୧ ଯାଏଁ ପ୍ରାର୍ଥୀପତ୍ର ଦାଖଲ ସମୟ ରହିଛି । ୨୨ ତାରିଖରେ ନାମାଙ୍କନ ପାତ୍ର ଯାଞ୍ଚ ପରେ ୨୫ ତାରିଖ ସଂଧ୍ୟା ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ସେହିପରି ୨୫ରେ ମଧ୍ୟ ପ୍ରର୍ଥୀପତ୍ର ପ୍ରତ୍ୟାହାର ସମୟ ରହିଛି । ଅନ୍ୟପଟେ ବର୍ତ୍ତମାନ ଠାରୁ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ତ୍ରିସ୍ତରୀୟ ନିର୍ବାଚନକୁ ନେଇ ଉଷ୍ମତା ବଢିଛି । ସରକାରୀ ଦଳର ରାଜନୈତିକ ଗୋଟି ଚାଳନାକୁ ମାତ ଦେବା ଲାଗି ବିରୋଧୀ ମଧ୍ୟ ରଣନିତୀ ପ୍ରସ୍ତୁତ କରୁଛନ୍ତି ।
ଅପରପକ୍ଷେ ଜିଲ୍ଲା ପରିଷଦ ଆସନ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସବୁ ଦଳର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ଜିଲ୍ଲାରେ ୨୨ଟି ଜିଲ୍ଲାପରିଷଦ ଆସନ ମଧ୍ୟରୁ ୧୧ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ବଳକା ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଅଣସଂରକ୍ଷିତ ୨ଟି ସିଟ୍ ଥିବାବେଳେ ଅନୁସୂଚିତ ଜନଜାତି ୭ , ଅନୁସୂଚିତ ଜାତି ବର୍ଗ ଲାଗି ୨ ଗୋଟି ଆସନ ରହିଛି ।
ମୋଟାମୋଟି ଭାବେ ଅନୁସୂଚିତ ଜାତି ପ୍ରାର୍ଥୀ ୩ , ଜନଜାତି ୧୩ ଓ ଅଣସଂରକ୍ଷିତ ପାଇଁ ୬ ଟି ଆସନ ରହିଛି । କଲ୍ୟାଣସିଂପୁର ବ୍ଲକ (କ) ଜିଲ୍ଲା ପରିଷଦ ଆସନରେ ଅଣସଂଗ୍ରକ୍ଷିତ ପ୍ରାର୍ଥୀଙ୍କ ଲାଗି ସଂରକ୍ଷିତ ହୋଇଥିବା ବେଳେ (ଖ)ଜୋନ ପାଇଁ ଅଣସଂରକ୍ଷିତ ମହିଳାଙ୍କ ଲାଗି ରହିଛି ।
ସେହିପରି କାଶୀପୁର (କ) ଜୋନ ପାଇଁ ଅନୁସୂଚିତ ଜନଜାତି ମହିଳା, (ଖ) ଜୋନ ଅନୁସୂଚିତ ଜାତି ମହିଳା, (ଗ) ଜୋନ ଅନୁସୂଚିତ ଜନଜାତି ମହିଳାଙ୍କୁ ପ୍ରାଧାନ୍ୟତା ଦିଆଯାଇଛି । କୋଲନରା ବ୍ଲକରେ (କ) ଜୋନ ଲାଗି ଅଣସଂରକ୍ଷିତ ଓ (ଖ) ଜୋନ ଅନୁସୂଚିତ ଜନଜାତି ମହିଳାଙ୍କ ସଂରକ୍ଷଣ ରଖାଯାଇଛି । ଗୁଡାରୀ ବ୍ଲକରେ ଅନୁସୂଚିତ ଜନଜତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି ।
ଗୁଣୁପୁର ବ୍ଲକ (କ) ଜୋନ ପାଇଁ ଅନୁସୂଚିତ ଜନଜାତି ଓ (ଖ) ଜୋନରେ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଉର୍ଦ୍ଧିଷ୍ଟ ରହିଛି । ପଦ୍ମପୁର ବ୍ଲକ (କ) ଜୋନ ଜିଲ୍ଲା ପରିଷଦ ଆସନ ଲାଗି ଅନୁସୂଚିତ ଜନଜାତି ମହିଳା, (ଖ) ଜୋନ ଅଣସଂରକ୍ଷିତ ରହିଛି । ତେବେ ଚନ୍ଦ୍ରପୁର ବ୍ଲକରେ ଗୋଟିଏ ଜିଲ୍ଲା ପରିଷଦ ଆସନକୁ ଅନୁସୂଚିତ ଜନଜାତି ପାଇଁ ରହିଛି ।
ବିଷମକଟକ (କ) ଜିଲ୍ଲା ପରିଷଦ ଆସନ ପାଇଁ ଅନୁସୂଚିତ ଜନଜାତି ମହିଳା ଓ (ଖ) ଜୋନ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ରହିଛି । ସେହିପରି ମୁନିଗୁଡା (କ) ଆସନ ପାଇଁ ଅନୁସୂଚିତ ଜାତି, (ଖ) ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ । ସେହିପରି ରାମନାଗୁଡା ବ୍ଲକ (କ) ଆସନ ଅଣସଂରକ୍ଷିତ ରହି ଥିବାବେଳେ (ଖ) ଜୋନ ଅନୁସୂଚିତ ଜନଜାତି ପାଇଁ ଉର୍ଦ୍ଧିଷ୍ଟ । ରାୟଗଡା (କ) ଜିଲ୍ଲା ପରିଷଦ ଜୋନରେ ଅନୁସୂଚିତ ଜନଜାତି, (ଖ) ଜୋନରେ ଅନୁସୂଚିତ ଜନଜାତି ମହିଳା ଓ (ଗ) ଜୋନରେ ଅନୁରୂପ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ଅନ୍ୟପଟେ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ପଞ୍ଚାୟତ ନିର୍ବାଚନୀ ତାତି ଦେଖିବାକୁ ମିଳିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ