ରାୟଗଡା: ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମଞ୍ଚସ୍ତ ହେବ ନାଟକ 'ଗାନ୍ଧୀଙ୍କ ଓଡିଶା ' । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ରାଜ୍ୟର ସମସ୍ତ ୩୦ଗୋଟି ଜିଲ୍ଲାରେ ମଙ୍ଗଳବାର ଦିନ ଏକକାଳୀନ 'ଗାନ୍ଧୀଙ୍କ ଓଡିଶା' ମଞ୍ଚସ୍ଥ ହେବ ।
ଶଙ୍କର ତ୍ରିପାଠୀଙ୍କ ଦ୍ବାରା ରଚିତ ନାଟକକୁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏକକାଳୀନ ଗୋଟିଏ ନାଟକ ୩୦ଟି ଜିଲ୍ଲାର ୩୦ଜଣ ଲବ୍ଧ ପ୍ରତିଷ୍ଠା ନିର୍ଦ୍ଦେଶକଙ୍କ ଦ୍ବାରା ୩୦ ଜଣ ମଞ୍ଚ ଓ ଆଲୋକ ସଂଯୋଜକଙ୍କ ସହାୟତାରେ ୯୩୦ ଜଣ ଅଭିନେତା ଅଭିନେତ୍ରୀଙ୍କ ଦ୍ବାରା ମଞ୍ଚସ୍ତ ହେବ । ଏକ ସମୟରେ 30ଟି ଜିଲ୍ଲାରେ ମଞ୍ଚସ୍ଥ କରାଯାଇ ବିଶ୍ଵ ରେକର୍ଡ ସୃଷ୍ଟି କରିବା ଲକ୍ଷ୍ୟ ରହିଛି ।
ଅନୁରୂପ ରାୟଗଡ଼ା ଜିଲ୍ଲାରେ ଏହି ନାଟକକୁ ନିର୍ଦ୍ଦେଶନା ଦେଇ ମଞ୍ଚସ୍ଥ କରିବା ନିମନ୍ତେ ନାଟ୍ୟକାର ଓ ନିର୍ଦ୍ଦେଶକ ନାଟ୍ୟଶ୍ରୀ ଡ. ନରେନ୍ଦ୍ର କୁମାର ମିଶ୍ରଙ୍କୁ ମନୋନୀତ କରାଯାଇଛି। ଓଡିଶା ସଙ୍ଗୀତ ନାଟକ ଏକାଡେମୀର ନାଟ୍ୟ ସଂସ୍ଥା ଜୟ ଜଗନ୍ନାଥ ନାଟ୍ୟକଳା ପରିଷଦ, ଜେକେପୁର ଦ୍ବାରା ଗାନ୍ଧୀଙ୍କ ଓଡିଶା ନାଟକଟି ମଞ୍ଚସ୍ଥ ହେବ । ୪୦ ଜଣିଆ ନାଟ୍ୟଦଳ ମାଧ୍ୟମରେ ଗତ ଏକ ମାସ ଧରି ଚାଲିଥିବା ନାଟ୍ୟ ପ୍ରସ୍ତୁତିରେ ବରିଷ୍ଠ ଓ ଯୁବ କଳାକାର ମଞ୍ଚ ଓ ଆଲୋକ ସଂଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଓ ନୃତ୍ୟ ନିର୍ଦ୍ଦେଶକ ଆଦି ଯୋଗଦାନ କରୁଥିବା ନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ପ୍ରକାଶ କରିଛନ୍ତି ।
ରାୟଗଡା ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ କୋଭିତ-୧୯ ନିୟମାବଳୀ ଅନୁଯାୟୀ ଏହି ନାଟକଟି ମଞ୍ଚସ୍ଥ ହେବ ବୋଲି ସେ ସୂଚନା ଦେଇଛନ୍ତି । ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପରେ ମଙ୍ଗଳବାର ସନ୍ଧ୍ୟା ୬.୩୦ ମିନିଟ୍ରେ ନାଟକ ଟି ମଞ୍ଚସ୍ତ ହେବ। ତେବେ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ