ପୁରୀ: ବନ୍ଦ ଘରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ। କୋଣାର୍କ ଥାନା ଠାରୁ ମାତ୍ର 100 ମିଟର ଦୂର ୧୦ ନମ୍ବର ୱାର୍ଡ ରାଣୀହାଟ ସାହିର ଏକ ଭଡା ଘରୁ ମିଳିଛି ଏହି ମୃତଦେହ। ମହିଳା ଜଣଙ୍କ ହେଲେ ମଧୁସ୍ମିତା ସାହୁ।
ଆଠଗଡ କାନପୁର ଗାଁରେ ତାଙ୍କ ଘର ହୋଇଥିବାବେଳେ 2018 ରୁ ସେ କୋଣାର୍କ ଠାରେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ବାଖ୍ୟାନ କେନ୍ଦ୍ରରେ ମହିଳା ଜଣଙ୍କ ସିକ୍ୟୁରିଟି ଭାବରେ କାର୍ଯ୍ୟରତ ଥିଲେ । ତେବେ କୋଣାର୍କ ରାଣୀହାଟ ସାହିର ଏକ ଭଡା ଘରେ ଜନୈକ ମହିଳା ଦୀର୍ଘ ଦିନ ଧରି ରହି ଆସୁଥିବାବେଳେ ମହିଳା ଜଣଙ୍କ ପୂର୍ବରୁ ବିବାହିତ ଥିଲେ ହେଁ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।
ତାଙ୍କର ଏକ 8 ବର୍ଷର କନ୍ୟା ସନ୍ତାନ ଅଛି । ଦୀର୍ଘ ଦିନ ଧରି କୋଣାର୍କରେ ଏକୁଟିଆ ଏକ ଭଡା ଘରେ ରହି ଆସୁଥିବା ବେଳେ ମହିଳା ମଙ୍ଗଳବାର ବିଳମ୍ବିତ ରାତିରେ ବେକରେ ନିଜ ପିନ୍ଧା ଲୁଗା ଦ୍ବାରା ଫ୍ୟାନରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା।
ତେବେ ତାଙ୍କ ସହିତ କାର୍ଯ୍ୟ କରୁଥିବା ସିକ୍ୟୁରିଟି ଦେଖିବା ପରେ ପୋଲିସକୁ ଫୋନ କରିଥିଲେ । କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ପରେ ଗୋପ କୋଣାର୍କ ଅତିରିକ୍ତ ତହସିଲଦାର ଶରତ ପରିଡା ଏବଂ ପୁରୀରୁ ସାଇଣ୍ଟିଫିକର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି କୋଣାର୍କ ଥାନା ଅଧିକାରୀ ତାଙ୍କ ପରିବାରଙ୍କୁ ଫୋନ୍ ଯୋଗେ ଡକାଇଥିଲେ।
ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମଧୁସ୍ମିତା ହାତରେ ଏକ ସୁଇସାଇଡ ନୋଟକୁ ପଢିଥିଲେ । କୋଣାର୍କ ପୋଲିସ ସୁଇସାଇଡ ନୋଟ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ