ପୁରୀ : କୋଭିଡ ନେଗେଟିଭ ରିପୋର୍ଟ ବିନା ଶ୍ରୀମନ୍ଦିର ଭିତରକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଛାଡ଼ିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି । ଏନେଇ ଶ୍ରୀଜଗନ୍ନାଥଙ୍କ ନିକଟରେ ଜଗନ୍ନାଥ ସେନା ପକ୍ଷରୁ ଦୀପ ଦାନ କରାଯାଇଥିବାବେଳେ ପ୍ରଶାସନ ନିକଟରେ ଦାବି କରାଯାଇଛି ।
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ କୋଭିଡ ନେଗେଟିଭ ରିପୋର୍ଟ ବିନା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ଥିବାବେଳେ, ଶ୍ରୀମନ୍ଦିରରେ ପ୍ରଶାସନ ପକ୍ଷରୁ କାହିଁକି ସମାନ ନୀତି ଆପଣାଯାଉନି, ଏନେଇ ଯୁକ୍ତି ବାଢିଛି ଜଗନ୍ନାଥ ସେନା । କୋଭିଡ ନେଗେଟିଭ ରିପୋର୍ଟ ଆଣିବା ବେଶ ମହଙ୍ଗା ହୋଇଥିବାରୁ ଅନେକ ଗରିବ ଲୋକ ତାଙ୍କ ପରିବାର ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିପାରୁନଥିବା ଶ୍ରୀଜଗନ୍ନାଥ ସେନା କହିଛି ।
ଏହି ନିୟମ ରହିଲେ ଅଗାମୀ ଦିନରେ ଲକ ଡାଉନ ଭଳି ପରିସ୍ଥିତି ସୃଷ୍ଟି ହେବ । ପୁରୀରେ ପର୍ଯ୍ୟଟକଙ୍କ ବିନା ଅର୍ଥନୀତି ତଳିତଳନ୍ତ ହୋଇଯିବ । ଲୋକମାନେ ରୋଜଗାର ହରାଇ ନାହିଁ ନଥିବା ଅବସ୍ଥା ଭୋଗିବେ । ଏଣୁ ଭକ୍ତ ଏବଂ ପୁରୀ ସହରବାସୀଙ୍କ କଲ୍ୟାଣ ପାଇଁ ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ଦେବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେନା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ