ପୁରୀ: କର୍ତ୍ତବ୍ୟ ଆଗରେ ସବୁକିଛି ତୁଚ୍ଛ । କର୍କଟ ରୋଗରେ ପୀଡିତ ଝିଅକୁ ଛାଡି କୋଭିଡ-19ରେ ଯୋଦ୍ଧା ଭାବରେ ଅହରହ ରାସ୍ତା ଉପରେ ସେବା ଯୋଗାଇ ଦେଉଥିବା କୋରୋନା ଯୋଦ୍ଧା ହରାଇଲେ ନିଜ 13 ବର୍ଷର ଝିଅ । ଡ୍ୟୁଟି ସମୟରେ ପାଇଥିଲେ ଝିଅର ମୃତ୍ୟୁ ଖବର । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ।
ମହିଳା ହୋମଗାର୍ଡ ଭାବେ କାର୍ଯ୍ୟରତ ଗୌରୀ ବେହେରାଙ୍କ ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ । ତଥାପି ନିଜ କର୍ତ୍ତବ୍ୟକୁ ପଛରେ ପକାଇ ନାହାନ୍ତି ସେ । ଗତ 24 ତାରିଖରେ ଘଟିଛି ଏହି ଦୁଃଖଦ ଘଟଣା । ନିଜର ଏକମାତ୍ର ଝିଅ ସ୍ଥାନୀୟ ସ୍କୁଲରେ ଅଷ୍ଟମ ଶ୍ରେଣରେ ପଢୁଥିଲା । ହେଲେ କର୍କଟ ରୋଗରେ ପୀଡିତ ରୋଗୀଣା ଝିଅକୁ ଛାଡି କୋଭିଡ-19 ଲକଡାଉନରେ ଡ୍ୟୁଟି କରୁଥିଲେ ଗୌରୀ ।
ପିପିଲି ବଜାରରେ କୋରୋନା ମହାମାରୀ ମୁକାବିଲା ପାଇଁ ସାମାଜିକ ଦୂରତା ଶିଖାଉଥିବା ମହିଳା ହୋମଗାର୍ଡ ନିଜ କର୍ତ୍ତବ୍ୟ ପାଇଁ ସମସ୍ତଙ୍କର ପ୍ରିୟ ଭାଜନ ହୋଇଥିବା ବେଳେ ଡ୍ୟୁଟି ସମୟରେ ପାଇଥିଲେ ଝିଅର ମୃତ୍ୟୁ ଖବର । ନିଜ କର୍ତ୍ତବ୍ୟରେ କେବେ ଅବହେଳା ସେ କରିନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ । ସେପଟେ ନିଜ ଝିଅ ଲୋପାମୁଦ୍ରାଙ୍କ ସ୍ମୃତିକୁ ଝୁରୁଛନ୍ତି ହୋମଗାର୍ଡ ମା' ଗୌରୀ । କୋରୋନା ଲଢେଇରେ ନିଷ୍ଠାପର ସେବା ଯୋଗାଇ ଆସୁଥିବା ପିପିଲିର ମହିଳା ହୋମଗାର୍ଡ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ପୁରୀରୁ ଶକ୍ତି ପ୍ରଶାଦ ମିଶ୍ର, ଇଟିଭି ଭାରତ