ପୁରୀ : ଗୁରୁବାର ଠାରୁ ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ପାରିବେ ଭକ୍ତ । ତେବେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ କୋଭିଡ ରିପୋର୍ଟ ନିୟମ ହଟିବା ପରେ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ଅଗମନ ଆଶା କରାଯାଉଛି । ତେବେ ପରିସ୍ଥିତିକୁ କିଭଳି ନିୟନ୍ତ୍ରଣରେ ରଖି ହେବ, ଭକ୍ତ କିଭଳି ସୁରୁଖୁରୁରେ କୋଭିଡ ଗାଇଡ଼ ଲାଇନ ମାନି ମହାପ୍ରଭୁଙ୍କ ଦର୍ଶନ ପାଇବେ ସେନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
ପୁରୀ ଜିଲାପାଳଙ୍କ ସୂଚନା ଅନୁଯାୟୀ ଗୁରୁବାର ସକାଳ 6 ଟାରୁ 7 ଟା ଯାଏଁ କେଵଳ ପୁରୀ ସହରବାସୀ ଠାକୁରଙ୍କୁ ଦର୍ଶନ କରିବେ । ପରେ ସର୍ବସାଧାରଣଙ୍କ ନିମନ୍ତେ ଦର୍ଶନ ଆରମ୍ଭ ହେବ । ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ହାତ ସାନିଟାଇଜ କରି ପ୍ରବେଶ ପାଇଁ ବ୍ୟବସ୍ଥା ହୋଇଛି । ତେବେ ଥର୍ମାଲ ସ୍କ୍ରିନିଂ ଯଦି କାହାର କୋଭିଡ ଲକ୍ଷଣ ପ୍ରକାଶ ପାଏ, ସେହି ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ପୁରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ପରବର୍ତ୍ତୀ ଚିକିତ୍ସା ହେବ । ସେହିପରି ଦିବ୍ୟାଙ୍ଗ ଓ ବୟସ୍କ ଲୋକଙ୍କ ଦର୍ଶନ ପାଇଁ ଅଲଗା ଲାଇନ ହେବ । ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ 26 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ବଡ଼ଦାଣ୍ଡରେ 20 ଓ ଶ୍ରୀମନ୍ଦିର ଭିତରେ 6 ପ୍ଲାଟୁନ ପୋଲିସ ରହିବେ । ସମସ୍ତେ ଯେଭଳି କୋଭିଡ ଗାଇଡ଼ ଲାଇନ ମାନି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ସେସବୁ ବ୍ୟବସ୍ଥା ହୋଇଥିବା ପୁରୀ ଏସ.ପି କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ