ପୁରୀ: ମହାପ୍ରଭୁଙ୍କ ଦର୍ଶନ ବନ୍ଦ ପରେ ପତିତପାବନଙ୍କ ଦର୍ଶନ ନେଇ ଶ୍ରୀମନ୍ଦିର ସମ୍ମୁଖରେ ବେଶ ଭିଡ଼ ଜମୁଛି । ତେବେ ଭକ୍ତଙ୍କ ଭିତରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଉକ୍ତ ଚିହ୍ନ ଭିତରେ ରହି ପତିତପାବନ ଦର୍ଶନ କରିବା ନେଇ ବ୍ୟବସ୍ଥା ହୋଇଛି । ଭକ୍ତମାନେ ସବୁ ନିୟମ ମାନି ପତିତପାବନ ଦର୍ଶନ କରୁଛନ୍ତି ।
ଅନ୍ୟପଟେ ପୁରୀରେ ଗତକାଲି ୫୨୪ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀମନ୍ଦିର ଭକ୍ତଙ୍କ ବନ୍ଦ, ରାତି ୯ରୁ ସକାଳ ୫ କର୍ଫ୍ୟୁ ଓ ସପ୍ତାହାନ୍ତ ଶନିବାର ଓ ରବିବାର ସଟ ଡାଉନ ସତ୍ତ୍ୱେ ପୁରୀ ପୌରାଞ୍ଚଳ ଓ ଜିଲ୍ଲାରୁ ପ୍ରତ୍ୟହ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏଥିପାଇଁ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ସହର ସମେତ ୧୧ଟି ବ୍ଲକରେ ପ୍ରତ୍ୟହ ମାସ୍କ ଚେକିଂ, ବିଭିନ୍ନ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରୁ ସାମାଜିକ ଦୂରତ୍ୱ ମାନୁନଥିବାରୁ ଫାଇନ ଆଦାୟ କରାଯାଉଛି । ସହରବାସୀ ମାସ୍କ ପରିଧାନ ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଏସପି କେ.ଵିଶାଲ ସିଂ ଅପିଲ କରିଛନ୍ତି । ଆଜିଠାରୁ ସନ୍ଧ୍ୟା ୬ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । କେବଳ ରେସ୍ତୋରାଁ ଓ ଖାଦ୍ୟ ଦୋକାନୀ ରାତି ୯ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ।
କୌଣସି ଗ୍ରାହକ ଦୋକାନରେ ବସି ଖାଇବା ପରିବର୍ତ୍ତେ ପାର୍ସଲ ନେବାକୁ ଅନୁରୋଧ କରାଯାଇଛି । ତେବେ ସଟଡାଉନକୁ କଡାକଡି କରିବା ପାଇଁ ପୁରୀକୁ 10 ଟି ଜୋନରେ ବିଭକ୍ତ କରାଯାଇଛି । 10 ଟି ପାଟ୍ରୋଲିଂ ଗାଡି ସହିତ ଅତିରିକ୍ତ ଏସ.ପି ଓ ଡ଼ି.ଏସ.ପି ସଟଡାଉନ ବେଳେ ସହର ବୁଲି ଅନୁଧ୍ୟାନ କରିବେ । ତେବେ ପୁରୀ ସହର ବାସୀ ପୋଲିସକୁ ସବୁ କ୍ଷେତ୍ରରେ ସହଯୋଗ କରୁଥିବା ହେତୁ ପୁରୀ ଏସପି କେ.ବିଶାଳ ସିଂ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ