ପୁରୀ: ଏବେ ସରାବିଶ୍ବରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର । ଏପଟେ ପୁରୀରୁ ଦୁଇଜଣ କୋରୋନା ପଜିଟିଭ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ନିକଟ ରେଣୁକା ଗଳି ଓ ମହାଦେବ ଲେନ ଅଞ୍ଚଳକୁ ସମ୍ପୂର୍ଣ ଭାବେ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଛି | ତେବେ ଏହି 2 କୋରୋନା ଆକ୍ରାନ୍ତ ଗତ 5 ତାରିଖରେ କଲିକତାରୁ ଫେରିଥିଲେ। ସେମାନେ ରହୁଥିବା ଅଞ୍ଚଳର 6 ଟି ଅଞ୍ଚଳକୁ ସିଲ କରାଯାଇଥିବା ବେଳେ କୌଣସି ଲୋକ କଣ୍ଟେନମେଣ୍ଟ ଭିତରକୁ କିମ୍ବା ବାହାରକୁ ଯାଇପାରିବେ ନାହିଁ |
ସମଗ୍ର ଅଞ୍ଚଳକୁ ସାନିଟାଇଜ କରାଯିବା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ ନମୁନା ସଂଗ୍ରହ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି | ଅନ୍ୟପଟେ ସମ୍ପୃକ୍ତ ପଜିଟିଭ ଆକ୍ରାନ୍ତଙ୍କୁ ଭୁବନେଶ୍ୱର ସ୍ଥିତ କୋଭିଡ ହେଲଥ ସେଣ୍ଟରକୁ ପଠାଯାଇଛି | ତେବେ କୋଭିଡ ପଜିଟିଭ ଆସିଥିବା ଦୁଇ ଜଣଙ୍କ ବିରୋଧ ମାମଲା ରୁଜୁ କରାଯାଇଛି। ହୋମ କ୍ବାରେଣ୍ଟାଇନ ନିୟମ ଭଙ୍ଗ କରିଥିବା ସହ ବାହାରେ ବୁଲାବୁଲି କରିଥିବା ହେତୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏଣିକି ଯେଉଁ ପ୍ରବାସୀ ଆସିବେ, ସେମାନେ ସରକାରଙ୍କ ଦ୍ଵାରା ବ୍ୟବସ୍ଥା ହୋଇଥିବା କ୍ବାରେଣ୍ଟାଇନରେ 21 ଦିନ ରହିବେ। ହୋମ କ୍ବାରେଣ୍ଟାଇନରେ ରହିବାକୁ ଆଉ ଅନୁମତି ଦିଆଯିବ ନାହିଁ। ତେବେ ଏହି ଘଟଣାକୁ ନେଇ ଜମା ଭୟଭୀତ ନ ହୋଇ ଲକଡାଉନ ନିୟମ ଓ କୋରୋନା ଗାଇଡ଼ଲାଇନ ମାନିବାକୁ ଜିଲ୍ଲାପାଳ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ସେହିଭଳି କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ପ୍ରଶାସନ ବ୍ୟବସ୍ଥା କରିଛି | କଣ୍ଟାକ୍ଟ ଟ୍ରେସିଂରେ ସେମାନେ କିଛି ମାର୍କେଟ କଂପ୍ଲେକ୍ସ ଯାଇଥିବା ଘଟଣା ଜଣାପଡିବାରୁ ସତର୍କତା ପଦକ୍ଷେପ ସ୍ୱରୂପ କିଛି ମାର୍କେଟ କଂପ୍ଲେକ୍ସକୁ ଆଜି ବନ୍ଦ କରାଯାଇ ସାନିଟାଇଜ କରିବାର ବ୍ୟବସ୍ଥା ପ୍ରଶାସନ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ