ପୁରୀ: ବାହୁଡା ଯାତ୍ରା ସମୟରେ ରଥ ଦଉଡି ଛିଡିବା ଘଟଣା । ଏଥିରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଭୋଇ ସେବକଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବରରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେବକ ନକୁଳ ଭୋଇ ଆଖି ବୁଜିଛନ୍ତି । ବାହୁଡା ଦିନ ପୁରୀ ମାର୍କେଟ ଛକ ନିକଟରେ ଏହି ଅଘଟଣ ଘଟିଥିଲା । ତାଳଧ୍ୱଜ ଦଉଡ଼ି ଛିଡ଼ିଯିବାରୁ ନକୁଳ ଭୋଇ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ପୁରୀ ହସ୍ପିଟାଲ ଓ ପରବର୍ତ୍ତୀ ସମୟରେ ଏମ୍ସର ICUରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଆଜି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଏହାମଧ୍ୟ ପଢନ୍ତୁ: ସୁନାବେଶ ଦର୍ଶନ ବେଳେ ଅଣନିଶ୍ବାସୀ ହୋଇ ଯୁବତୀ ମୃତ
ସୂଚନା ଅନୁଯାୟୀ, ଶରଧାବାଲିରୁ ବଡଦାଣ୍ଡ ଅଭିମୁଖେ ବାହୁଡିବା ବେଳେ ମାର୍କେଟ ଛକରେ ଏକ ଅଶୁଭ ଘଟଣା ଘଟିଥିଲା । ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥର ଦଉଡି ଛିଡି ଯାଇଥିଲା । ଯାହାଫଳରେ ସେଠାରେ ଏକ ବଡ଼ ଅଘଟଣ ଘଟିଥିଲା । ରଥର ଦଉଡ଼ି ଛିଡିଯିବାରୁ ଭୋଇ ସେବାୟତ ନକୁଳ ଭୋଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ନିଆଯାଇଥିଲା । ତେବେ ଏମିତି ରଥର ଦଉଡ଼ି ଛିଡ଼ିଯିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ପବିତ୍ର ବାହୁଡ଼ା ଯାତ୍ରାରେ ରଥ ଦଉଡି ଛିଡିବା ଏକ ଅଶୁଭ ସଙ୍କେତ ବୋଲି ଚର୍ଚ୍ଚା ହୋଇଥିଲା । ଅନ୍ୟପଟେ ରଥଟଣା ସମୟରେ ଅଣନିଶ୍ୱାସୀ ହେବା ଯୋଗୁଁ ୮ରୁ ଅଧିକ ଶ୍ରଦ୍ଧାଳୁ ଅସୁସ୍ଥ ହୋଇଯାଇଥିଲେ । ସମସ୍ତଙ୍କୁ ଭିଡ଼ ଭିତରୁ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ: ଅଧୁରା ରହିଗଲା ମହାପ୍ରଭୁଙ୍କ ଦର୍ଶନ, ରାସ୍ତାରେ ଭକ୍ତଙ୍କ ଉଡିଗଲା ପ୍ରାଣବାୟୁ
ଚଳିତ ବର୍ଷ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରକୁ ଛୁଟି ଆସିଥିଲେ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ରଥଯାତ୍ରାଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ପୁରୀକୁ ସୁରକ୍ଷା ବଳୟରେ ରଖା ଯାଇଥିଲା । ଏପରିକି ସମୁଦ୍ରରେ ମଧ୍ୟ ତଟରକ୍ଷୀ ବାହିନୀ ସଜାଗ ରହିଥିଲେ । ରଥଯାତ୍ରାରେ ୧୮୦ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ । ଯାତ୍ରା ମଧ୍ୟରେ ପକେଟମାର ଉପରେ ନଜର ରଖିବାକୁ ଫେସ୍ ରେକଗନାଇଜେସନ ସିଷ୍ଟମର ବ୍ୟବହାର କରାଯାଇଥିଲା ।
ଇଟିଭି ଭାରତ, ପୁରୀ