ପୁରୀ: ପୁରୀ ପୌରାଞ୍ଚଳର ୧ନଂ ଓ୍ୱାର୍ଡ଼, ଖାତା ଖତିଆନାରେ ଏହା ୧ ନଂ ଓ୍ୱାର୍ଡ଼ ଥିଲେ ମଧ୍ୟ ଚିତ୍ର କିନ୍ତୁ ପୁରା ଓଲଟା। ଏହି ଓ୍ୱାର୍ଡ଼ ଅନ୍ତର୍ଗତ ସୁଜାତା ନଗର ଅଞ୍ଚଳରେ ନା ରହିଛି ଡ଼୍ରେନେଜ ବ୍ୟବସ୍ଥା ନା ରହିଛି ପକ୍କା ରାସ୍ତା। ଏଭଳିକି ପାନୀୟ ଜଳର ସଂଯୋଗ ମଧ୍ୟ ନାହିଁ। ‘ପବିତ୍ର ପୁରୀ ଗର୍ବ ଆମରି’ ନାରା ଦେଉଥିବା ପୌରପାଳିକାର ସ୍ଥାଣୁତାକୁ ଦେଖିଲେ ଜଣାପଡ଼େ ପୌରପାଳିକା କେତେ ସଠିକ୍ ସେବା ଯୋଗାଉଛି ପୁରୀବାସୀଙ୍କୁ।
ତେବେ ଆଗାମୀ ଦିନରେ ପୌରନିର୍ବାଚନ ଥିବାବେଳେ ବିକାଶ ଠାରୁ ଦୂରରେ ରହିଥିବା ସୁଜାତା ନଗର ବାସିନ୍ଦା ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଅଣଓସାରିଆ ରାସ୍ତା ସହ ଆଣ୍ଠୁଏ ଆଣ୍ଠୁଏ ପାଣି। କାଦୁଅ ପଚ ପଚରେ ବର୍ଷ ତମାମ ଯାତାୟତ କରୁଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଏହା କୌଣସି ଦୁର୍ଗମ ଅଞ୍ଚଳର ଦୃଶ୍ୟ ନୁହେଁ। ଏହା ହେଉଛି ପୁରୀ ପୌରାଞ୍ଚଳ ୧ନଂ ଓ୍ୱାର୍ଡ଼ ସୁଜାତା ନଗରର ବାସ୍ତବ ଚିତ୍ର। ଖାତା ଖତିଆନାରେ ଏହି ଓ୍ୱାର୍ଡ଼ ଥିବାବେଳେ ଏହାର ଚିତ୍ର କିନ୍ତୁ, ସମ୍ପୂର୍ଣ୍ଣ ଓଲଟା। ରାସ୍ତାଘାଟ ଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ଏଠାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ପବିତ୍ର ପୁରୀ ଗର୍ବ ଆମରି ତଥା ସ୍ୱଚ୍ଛ ପୁରୀର ନାରା ଦେଉଥିବା ପୁରୀ ପୌରପାଳିକାର ଅସଲ କାର୍ଯ୍ୟଶୈଳୀ ଏଠାରେ ପ୍ରତିଫଳିତ ହେଉଛି, କେତେ ସମ୍ୱେଦନଶୀଳ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ। ବାରମ୍ୱାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ନହେବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଥିବାବେଳେ ଆସନ୍ତା ପୌର ନିର୍ବାଚନକୁ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା।
ସୁଜାତା ନଗରର ଅସଲ ସମସ୍ୟା ହେଉଛି ପୁରୀ ମଙ୍ଗଳାଘାଟ ବାଇପାସ୍। ତ୍ରୁଟିପୂର୍ଣ୍ଣ ବାଇପାସ ନିର୍ମାଣ ଯୋଗୁଁ ତଳିଆ ଅଞ୍ଚଳରେ ଥିବା ଏହି ସୁଜାତା ନଗରରୁ ଜଳ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ବର୍ଷା ଦିନେ ସମ୍ପୂର୍ଣ୍ଣ ୪ ମାସ ଏହି ସୁଜାତା ନଗର ୪ ଫୁଟରୁ ଅଧିକ ପାଣିରେ ବୁଡ଼ି ରହୁଥିବାବେଳେ ଛୋଟରୁ ବଡ଼ ପର୍ଯ୍ୟନ୍ତ ସଭିଁଏ ଡ଼ଙ୍ଗାରେ ଯାତାୟତ କରିଥାନ୍ତି। ମାସେ ନୁହେଁ କି ବର୍ଷେ ନୁହେଁ ଦୀର୍ଘ ୫ ବର୍ଷ ହେବ ସୁଜାତା ନଗରବାସୀ ଏହି ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ପୌରପ୍ରଶାସନ ଅବା ଜିଲ୍ଲାପାଳ ଆଡ଼ ଆଖିରେ ମଧ୍ୟ ଚାହୁଁ ନାହାନ୍ତି ଏହି ଅଞ୍ଚଳ ପ୍ରତି। ଏଠାରେ ପ୍ରଶ୍ନ ଉଠୁଛି? ଲୋକଙ୍କ ସମସ୍ୟା ସମାଧାନ ପାଇଁ ବଡ଼ ବଡ଼ ଅଧିକାରୀଙ୍କୁ ରଖାଯାଇଥିବା ବେଳେ ଏମାନେ ପ୍ରକୃତରେ ଏଠି କରୁଛନ୍ତି କଣ? ଜିଲ୍ଲା ପ୍ରଶାସନର ଏଭଳି ଅବହେଳାକୁ ସବୁ ସ୍ତରରେ ନିନ୍ଦା କରାଯାଇଥିବାବେଳେ ଏନେଇ ଅଧିକାରୀମାନେ କୌଣସି ମତାମତ ମଧ୍ୟ ରଖୁନାହାନ୍ତି। ଦୀର୍ଘ ୫ ବର୍ଷ ହେବ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସହାୟତା ସୁଜାତା ନଗର ବାସୀ ପାଇନଥିବାବେଳେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଅଞ୍ଚଳବାସୀ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ