ପୁରୀ: ରଥଯାତ୍ରା ପରେ ନିଳାଦ୍ରୀ ଭକ୍ତ ନିବାସରେ ପରିଚାଳନା କମିଟି ଓ ଛତିଶା ନିଯୋଗର ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାର ସଫଳ ଆୟୋଜନ ପାଇଁ ସର୍ବୋଚ୍ଚ ଅଦାଲତ, କେନ୍ଦ୍ର ଓ ରାଜ୍ୟ ସରକାର, ସେବାୟତଙ୍କୁ ଗଜପତି ଧନ୍ୟବାଦ ଜଣାଇଛନ୍ତି । ଏହାସହ ଚଳିତ ବର୍ଷ ରଥଯାତ୍ରାର ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।
ଏହାସହ ନିଳାଦ୍ରୀ ବିଜେ ପରେ ଦୈନନ୍ଦିନ ନିତି କାନ୍ତି କିଭଳି ସୁରୁଖୁରୁରେ ଶ୍ରୀମନ୍ଦିରରେ ଚାଲିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ଏହାସହ 11 ରୁ 14 ଯାଏ ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତ , ଶ୍ରୀମନ୍ଦିର କର୍ମଚାରୀ ଙ୍କ ର କୋଭିଡ ଟେଷ୍ଟ ହେବ ବୋଲି ସୂଚନା ଦିଆଯାଇଛି ।
ସେହିପରି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ଥିବାରୁ ସେବାୟତଙ୍କ ରୋଜଗାର ଉପରେ ଗଭୀର ପ୍ରଭାବ ପଡିଛି। କିଭଳି ସେବାୟତଙ୍କ କଲ୍ୟାଣ ହୋଇ ପାରିବ, ଆର୍ଥିକ ସାହାଯ୍ୟ ଦିଆ ଯାଇ ପାରିବ ସେ ନେଇ ଏକ କମିଟି ଗଠନ ହୋଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ଗୁରୁତ୍ତ୍ବପୂର୍ଣ୍ଣ କଥା ହେଉଛି ରଥଯାତ୍ରାରେ ଅଣ ସେବାୟତ ସାମିଲ ନେଇ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ଉପରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ କିଭଳି ଏଭଳି ତ୍ରୁଟି ନ ହେବ, ନିୟମ ଉଲଘଂନ କଲେ ଗାଇଡ଼ ଲାଇନ ଅନୁଯାୟୀ କଣ କାର୍ଯ୍ୟନୁଷ୍ଠାନ ନିଆଯିବ ସେନେଇ ଆଲୋଚନା ହୋଇଛି।
ସେହିପରି ରତ୍ନ ସିଂହାସନରୁ ପଥର ଗାଏବ ଘଟଣା ଜଣେ ସେବାୟତ ଅଭିଯୋଗ ପ୍ରସଙ୍ଗ ତଦନ୍ତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ତଦନ୍ତ ପରେ ନିୟମ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ। ଏଥିସହିତ ରଥ ଉପରେ ନିତି କାନ୍ତି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ପ୍ରସଙ୍ଗରେ ମଧ୍ୟ ଉତ୍ତର ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏହା ଠିକ ନୁହେଁ ଅସନ୍ତା ବର୍ଷରୁ ରଥ ଉପରକୁ ମୋବାଇଲ ନେବା ନିଷିଦ୍ଧ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ