ପୁରୀ: ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । 90ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ରଥ ନିର୍ମାଣ ସେବାୟତଙ୍କ କର୍ତ୍ତବ୍ୟ ନିଷ୍ଠାରେ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ସବୁ କାର୍ଯ୍ୟ ଠିକ ଭାବେ ସମ୍ପୂର୍ଣ୍ଣ ହୋଇପାରିଛି । 9 ତାରିଖ ସୁଦ୍ଧା ରଥର ନିର୍ମାଣ କାର୍ଯ୍ୟ ଶେଷ ହେବ । ରଥଯାତ୍ରା ଆୟୋଜନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଏହି ମତ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର ।
ସେପଟେ ସୁରୁଖୁରୁରେ ରଥଯାତ୍ରା ଅୟୋଜନ ନେଇ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଛି । ଟାହିଆ ଠାରୁ ନୀତିକାନ୍ତି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସରିଛି । ଆସନ୍ତା 5ତାରିଖ ପୂର୍ବରୁ ଏକ ଛତିଶା ନିଯୋଗ ବୈଠକ ବସିବ । ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।
ଯଦି କିଛି ପ୍ରସ୍ତାବ ଆସେ ତାହାଲେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ । ଏଥର ମଧ୍ୟ କୋଭିଡ କଟକଣାରେ ରଥଯାତ୍ରା ଆୟୋଜନ ହେଉଥିବାରୁ ସେବାୟତମାନେ ରଥ ଟଣାରେ ସାମିଲ ହେବେ । ଖରାକୁ ନଜରରେ ରଖି ଯେଉଁଠାରେ ରଥ ପ୍ରତିଷ୍ଠା ହେବ ସେଠି ଓ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ହ୍ବାଇଟ ରିଫଲେକ୍ଟ ପେଣ୍ଟ ଲଗାଯିବ ।
ପାନୀୟ ଜଳ ଓ ପାଣି ଛିଞ୍ଚନର ବ୍ୟବସ୍ଥା କରାଯିବ । ସେହିପରି ବଡ଼ ଦାଣ୍ଡରେ ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ ବିଭାଗର ଟିମ ରହି ସ୍ବାସ୍ଥ୍ୟସେବା ଯୋଗାଇବେ । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିଛନ୍ତି । ତିନି ରଥ ଗୁଣ୍ଡିଚା ଘରେ ଲାଗିବା ପରେ କିଭଳି ସୁରୁଖୁରୁରେ ସବୁ କିଛି ଅନୁଷ୍ଠିତ ହେବ ସେନେଇ ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ