ପୁରୀ: ପିପିଲି ନୂଆ ଶାସନ ନୃସିଂହ ନାଥ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ମନ୍ଦିରରୁ ମୂର୍ତ୍ତି ଚୋରି କରିଛନ୍ତି ଦୁର୍ବୃତ୍ତ । ମନ୍ଦିରକୁ ଦୁଇ ଜଣ ପୋଲିସ ପହରା ଦେଉଥିବା ସତ୍ତ୍ବେ ଦୁର୍ବୃତ୍ତ ମନ୍ଦିରରୁ ପିତ୍ତଳ ଓ ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ନେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଗତ କିଛିଦିନ ଧରି ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୂର୍ତ୍ତି ଚୋର ରାକେଟ ସକ୍ରିୟ ରହିଛି । ସେପଟେ ପୋଲିସ ପହରା ଥାଇ କିଭଳି ଚୋରି ହେଲା ବୋଲି ଚର୍ଚ୍ଚା ଜୋର ଧରିଛି ।
ଅଭିଯୋଗ ଅନୁସାରେ, ମନ୍ଦିରରୁ ହରଦୁର୍ଗା, ବାସୁଦେବ, ଚନ୍ଦ୍ରଶେଖର, ପାର୍ବତୀ ମୂର୍ତ୍ତି ସହିତ ରୂପା ଅଳଙ୍କାର ଓ ଦାନ ବାକ୍ସରୁ ଚୋରି ହୋଇଛି । ମନ୍ଦିରର ମୁଖ୍ୟ ପୂଜକ ସକାଳୁ ମନ୍ଦିର ଖୋଲିବା ପରେ ମନ୍ଦିରରୁ ଚୋରି ହୋଇଛି ବୋଲି ଜଣାପଡିଥିଲା । ଶୀତଳ ଷଷ୍ଠୀ ପୂର୍ବରୁ ଏଭଳି ଘଟଣା ସମସ୍ତଙ୍କ ମନରେ ଆଘାତ ଦେଇଛି । ଗୁରୁବାର ରାତି ୧୦ଟା ସମୟରେ ମନ୍ଦିରର ପୂଜା ରୀତିନୀତି ସରିବା ପରେ ମନ୍ଦିର ପହଡ଼ ପଡିଥିଲା । ଶୁକ୍ରବାର ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ପୋଲିସର ପହରା ସମୟରେ କିଭଳି ଚୋରୀ ହେଲା, ପୋଲିସର ପାରିବା ପଣିଆକୁ ପଦାରେ ପକାଇଛି ।