ପୁରୀ: ବାହୁଡା ଯାତ୍ରାରେ କର୍ଫ୍ୟୁ ନେଇ ସ୍ଥିତି ସମୀକ୍ଷା କଲେ ପୁରୀ ଏସପି । ବାହୁଡା ଯାତ୍ରା ପାଇଁ ପୁରୀରେ ଆସନ୍ତାକାଲି(ସୋମବାର) ଠାରୁ ବୁଧବାର ପର୍ଯ୍ୟନ୍ତ 144 ଧାରା ଲାଗୁ ହେବ । ଏଥିପାଇଁ ବଡ ଦାଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଏସପି କେ ବିଶାଲ ସିଂ ।
ଏସପି ବିଶାଲ ସିଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବଡଦାଣ୍ଡରେ ବୁଲି ବୁଲି ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି । ବାହୁଡା଼ରେ କିଭଳି ଆଇନ ଶୃଙ୍ଖଳା ଓ sop ଅନୁପାଳନ ହେବ ସେନେଇ ଏସପି ନିଜେ ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରେ ଥିବା ଲଜ, ହୋଟେଲ, ଘର ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କ ସହ ଆଲୋଚନା କରିବା ସହ sop ଅନୁପାଳନ ନେଇ ତାଗିଦ କରିଛନ୍ତି । ଡ୍ରୋନ ମାଧ୍ୟମରେ ମଧ୍ଯ ନଜର ରଖା ଯାଉଥିବା ପୁରୀ ପୋଲିସ ପକ୍ଷରୁ କୁହାଯାଇଛି ।
ଶ୍ରୀଗୁଣ୍ଡିଚା ଯାତ୍ରା ତଥା ରଥଯାତ୍ରା ଦିନ sop ଉଲଙ୍ଘନ ହୋଇଥିବାରୁ ବାହୁଡା଼ ଯାତ୍ରାରେ ଏହାକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ବଡଦାଣ୍ଡରେ ଥିବା ସମସ୍ଥ ଘରୋଇ ଓ ବେସରକାରୀ ଅନୁଷ୍ଠାନରେ ମଧ୍ୟ ସର୍ଭେ କରାଯାଉଛି । ତେବେ ସୋମବାର ରାତି 8 ଟା ରୁ ବୁଧବାର ରାତି 8 ଟା ପର୍ଯ୍ୟନ୍ତ ଲାଗିବ କର୍ଫ୍ୟୁ । Sop ନିୟମକୁ କଡାକଡି ପାଳନ କରାଯିବା ସହ କେବଳ ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟକେହି ବଡଦାଣ୍ଡରେ ରହିବେ ନାହିଁ । ଏହିସମୟରେ ଭିଡିଓ ଗ୍ରାଫି କରାଯିବ । ପରବର୍ତ୍ତୀ ସମୟରେ ଏହି ଭିଡିଓକୁ ତର୍ଜମା କରି ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ