ପୁରୀ: ବିଭିନ୍ନ ଦାବିକୁ ନେଇ ସାରା ରାଜ୍ୟରେ ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନକୁ ସୁପ୍ରିମକୋର୍ଟ ବେଆଇନ କହିବା ପରେ ଆଇନଜୀବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଓକିଲମାନେ ଏହାର ପ୍ରତିବାଦରେ ସାରା ଓଡ଼ିଶାରେ ସତ୍ୟାଗ୍ରହ ଚଳାଇଛନ୍ତି । ପୁରୀ ଜିଲ୍ଲା ଓକିଲ ସଙ୍ଘ ତରଫରୁ ମଧ୍ୟ ଆନ୍ଦୋଳନ ସହ ସତ୍ୟାଗ୍ରହ କରାଯାଇଛି ।
ଆନ୍ଦୋଳନକାରୀ ଓକିଲମାନେ କହିଛନ୍ତି, "ଓକିଲାତି ଏକ ସ୍ଵାଧୀନ ପେଶା । ଏନେଇ କୌଣସି ସରକାରୀ ଦରମା ନାହିଁ । କୌଣସି ବୀମା କି ପେନସନ ଭଳି ସାମାଜିକ ନିରାପତ୍ତା ବ୍ୟବସ୍ଥା ନାହିଁ । ତେବେ ଏହି ଦାବିକୁ ସରକାର ଓ ସୁପ୍ରିମକୋର୍ଟ ଶୁଣିବା ପରିବର୍ତ୍ତେ ଓକିଲଙ୍କୁ ଗିରଫ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ଦୁର୍ଭାଗ୍ୟଜନକ ।" ସେହିପରି ରାଜ୍ୟର ଭୌଗଳିକ ଅବସ୍ଥିତି ପାଇଁ ଅନେକ ସ୍ଥାନରେ ହାଇକୋର୍ଟର ବେଞ୍ଚ ଆବଶ୍ୟକତା ଥିବାବେଳେ ସରକାର ଓ ସୁପ୍ରିମକୋର୍ଟ ଏହା ବିଚାର ନକରି ଆନ୍ଦୋଳନ କରୁଥିବା ଆଇନଜୀବୀଙ୍କ ସ୍ବରକୁ ଚାପି ଦେବାକୁ ପ୍ରୟାସ କରୁଥିବା ଓକିଲ ସଙ୍ଘ ଅଭିଯୋଗ କରିଛି । ଏହାକୁ ଓଡ଼ିଶାରେ ଓକିଲମାନେ ବରଦାସ୍ତ କରିବେନି ବୋଲି କହିଛନ୍ତି ପୁରୀ ବାର ଆସୋସିଏସନର ସଦସ୍ୟ । ତୁରନ୍ତ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ଓକିଲଙ୍କ ଦାବିକୁ ପୂରଣ ନକଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ପୁରୀ ଜିଲ୍ଲା ଓକିଲ ସଙ୍ଘ ଚେତାବନୀ ଦେଇଛି ।
ଇଟିଭି ଭାରତ, ପୁରୀ