ପୁରୀ: ଏଥର ପୁରୀରେ ଫିକା ପଡିବା ହୋଲି ଉତ୍ସବ । ଦେଶରେ କୋରୋନା ଦ୍ବିତୀୟ ଲହରୀ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋରୋନା ଗାଇଡଲାଇନକୁ ପୁଣିଥରେ କଡାକଡି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନିୟମକୁ ସମସ୍ତେ କଡାକଡି ଭାବେ ପାଳନ କରିବା ସହ ହୋଲି ଦିନ ଭିଡ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସମସ୍ତେ ନିଜ ଘରେ ରହି ହୋଲି ପାଳନ କରିବେ । ଦୋଳପୂର୍ଣ୍ଣିମା ଓ ମେଳଣରେ ଲୋକଙ୍କର ଏକାଠି ହେବା ନେଇ ବାରଣ କରାଯାଇଛି । କେବଳ ପରମ୍ପରା ଅନୁସାରେ ନୀତି ଅନୁଷ୍ଠିତ ହେବ। ସେହିପରି ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ଉତ୍ସଵ କିଭଳି କଟକଣାରେ ଅନୁଷ୍ଠିତ ହେବ, ସେ ନେଇ ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।
ଅନ୍ୟପଟେ ପୁରୀରେ କୋଭିଡ ସଂକ୍ରମଣ ବଢିବା ଆଶଙ୍କା ସୃଷ୍ଟି ହୋଇଛି । ବିଶେଷକରି କୋରୋନା ଗାଇଡ଼ଲାଇନକୁ ପୁରୀ ବାସିନ୍ଦାଙ୍କ ସମେତ ପର୍ଯ୍ୟଟକମାନେ ମାନୁ ନଥିବା ଯୋଗୁଁ ଏଭଳି ଆଶଙ୍କା ପ୍ରକାଶ ପାଇଛି । ଯାହା ସମସ୍ତଙ୍କୁ ବିଚଳିତ କରୁଛି । ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ସମୁଦ୍ରକୂଳ, ହସ୍ପିଟାଲ ଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠି ଗାଇଡ଼ଲାଇନର ଖୁଲମଖୁଲା ଉଲ୍ଲଙ୍ଘନ ଚାଲିଛି । ଏହି କଟକଣାର ଉଲଙ୍ଘନ ସାଧାରଣରେ ଘାତକ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ପୁଣି କୋଭିଡ଼କୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତସ୍ତରରେ ଥିବା କୋଭିଡ଼ ମ୍ୟାନେଜମେଣ୍ଟ କମିଟିକୁ ସକ୍ରିୟ କରିବା ସହ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ଓ କ୍ୱାରେଣ୍ଟାଇନ ନିୟମ କଡ଼ାକଡ଼ି କରିବା ସମେତ କୌଣସି ଲକ୍ଷଣ ପ୍ରକାଶ ପାଇଲେ ସଙ୍ଗେ ସଙ୍ଗେ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଟ୍ରେନରେ ଆସୁଥିବା ଯାତ୍ରୀଙ୍କର ରେଳଷ୍ଟେସନରେ ଥର୍ମାଲ୍ ସ୍କ୍ରିନିଂ ମଧ୍ୟ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ