ପୁରୀ: ବିଶ୍ବ ପର୍ଯ୍ୟଟନସ୍ଥଳୀ କୋଣାର୍କକୁ ବିଶ୍ବସ୍ତରୀୟ ରୂପରେଖ ଦେବା ପାଇଁ ସରକାର ବିଭିନ୍ନ ପ୍ରସ୍ତୁତି ଚଳାଇଛନ୍ତି । ଓଡିଶାର ପର୍ଯ୍ୟଟନ ଶିଳ୍ପକୁ ଆଉ ପାଦେ ଆଗକୁ ନେବାକୁ ଏବଂ ବିଶ୍ବ ପ୍ରସିଦ୍ଧ କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନକୁ ଆଖିରେ ରଖି, ସରକାର କୋଣାର୍କ ବାଲୁଖଣ୍ଡରୁ ୭୫ଏକର ଜମି ଇଡ଼କୋକୁ ହସ୍ତାନ୍ତର କରି ପର୍ଯ୍ୟଟନ ପ୍ରକଳ୍ପ ପାଇଁ କାର୍ଯ୍ୟ ସମ୍ପାଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସରକାର ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରୁ ୭୫ ଏକର ଜମି ଇଡ଼କୋ ହାତକୁ ଟେକି ଦେଇଛନ୍ତି । ଫଳରେ ଅଭ୍ୟାୟାରଣ୍ୟରୁ କଟାଯିବ ୬୦ ହଜାରରୁ ଉର୍ଦ୍ଧ୍ବ ବହୁ ମୂଲ୍ୟବାନ ଝାଉଁ ଏବଂ ଅନ୍ୟାନ୍ୟ ପ୍ରଜାତିର ଗଛ। ବାସହରା ହେବେ ଲକ୍ଷ ଲକ୍ଷ ସଂଖ୍ୟାରେ ଜଙ୍ଗଲୀ ପ୍ରାଣୀ, ଏବଂ ବିଗିଡିବ ପ୍ରାକୃତିକ ପରିବେଶର ସନ୍ତୁଳନ।
ଯେଉଁ ବିରଳ ପ୍ରଜାତିର ମୃଗ ମାନଙ୍କ ପାଇଁ ବାଲୁଖଣ୍ଡ ଅଭ୍ୟୟାରଣ୍ୟ ଦିନେ ପ୍ରସିଦ୍ଧ ଥିଲା ସେହି ମୃଗଙ୍କ ଠିକଣାର ରହିବନି ଚିହ୍ନବର୍ଣ୍ଣ । ବାତ୍ୟା, ବନ୍ୟା ତଥା ସୁନାମିର ଭୟରୁ ରକ୍ଷା ଦେଉଥିବା ବାଲୁଖଣ୍ଡ ଅଭୟାରଣ୍ୟ ଆଜି ନଷ୍ଟହେବାକୁ ଯାଉଛି । କୋଣାର୍କ ଅଞ୍ଚଳବାସୀଙ୍କ ପାଇଁ କାଳ ମାଡିଆସୁଥିବା ଅଭିଯୋଗ କରି ବିଭିନ୍ନ ସଂଗଠନ ତରଫରୁ ବିରୋଧ ସ୍ବର ଉଠିଛି ।
ବାଲୁଖଣ୍ଡ ଅଭ୍ୟୟାରଣ୍ୟ ଓ ଏହା ଭିତରେ ଥିବା ଏହି ଗଛ ଲତା ସବୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସାମୁଦ୍ରିକ ଝଡ ଝଞ୍ଜା ଠାରୁ ରକ୍ଷା କରି ଆସୁଥିଲେ । ମାତ୍ର ରାଜ୍ୟ ଓ କେନ୍ଦ୍ର ସରକାର ଏହି ଜମିକୁ ଇଡ଼କୋ ହାତକୁ ଟେକିଦେଇ କୋଣାର୍କ ପାଇଁ ନୂଆ ବିପଦକୁ ଆମନ୍ତ୍ରଣ କରିଛନ୍ତି । ଜମି ବି ଯିବ, ଗଛ ବି କଟିବ, ସନ୍ତୁଳନ ହରାଇ ବିଗିଡିବ ପରିବେଶ ଓ ପାଣିପାଗ, ପ୍ରକୃତିର ଦାନ ସ୍ବରୂପ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ କାହିଁ କେଉଁ କାଳରୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରି ଆସୁଥିବା ବାଲିବନ୍ତ ପୂର୍ବରୁ ଖୋଳା ହୋଇଯାଇଥିବା ବେଳେ ଯେଉଁ ଗଛ ଦିନେ ବଡ଼ ବଡ଼ ବିପଦ ଏବଂ ସମୁଦ୍ରର ଲୁଣି ପବନରୁ ସୂର୍ଯ୍ୟ ମନ୍ଦିରକୁ ରକ୍ଷା କରି ଆସୁଥିଲା ସେହି ସୂର୍ଯ୍ୟ ମନ୍ଦିରର ଅବସ୍ଥା ଆଗମୀ ଦିନରେ କଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ?
ଏହାମଧ୍ୟ ପଢନ୍ତୁ: ଅଧାରେ ରହିଲା ଜଗା ଦର୍ଶନ: ଦୁର୍ଘଟଣାରେ ଚାଲିଗଲା 2 କବାଡି ଖେଳାଳିଙ୍କ ଜୀବନ
ପୂର୍ବରୁ ଅନେକ ବାତ୍ୟାକୁ ସମ୍ମୁଖୀନ ହୋଇଥିବା ଏହି ଅଭୟାରଣ୍ୟ ଯଦି କଟାଯାଏ ତେବେ ଆଗାମୀ ଭବିଷ୍ୟତରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସେ ସମୁଦ୍ର ଗର୍ଭରେ କୋଣାର୍କ ବିଲୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଇଡ଼କୋକୁ ଜମି ହସ୍ତାନ୍ତର ପରେ ଆଜି ଠାରୁ ପ୍ରଶାସନ ପକ୍ଷରୁ ଗଛ କାଟିବା ପାଇଁ ଗଛ ଚିହ୍ନଟ ଓ ନମ୍ବର ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। । ଶତାଧିକ ମହିଳା ଓ ପୁରୁଷ ସେଠାରେ ପ୍ରତ୍ୟେକ ବୃକ୍ଷକୁ ଧରି ଚେତାବନୀ ଦେଇଥିଲେ । ଯଦି ସରକାର ଏହି ନିଷ୍ପତ୍ତିକୁ ରଦ୍ଦ ନକରନ୍ତି, ତେବେ ମୁଖ୍ୟମନ୍ତ୍ରୀ ଭବନ ସହ ହାଇକୋର୍ଟର ଦ୍ବାରସ୍ଥ ହେବେ କହିଛନ୍ତି ପରିବେଶ ପ୍ରେମୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ