ପୁରୀ: ସୌନ୍ଦର୍ଯ୍ୟର ଗନ୍ଥା ଘର ପୁରୀ ଅସ୍ତରଙ୍ଗ ବ୍ଲକ। ଯେଉଁଠି ରହିଛି ଅନେକ ରମଣୀୟ ସ୍ଥାନ । ସେଥିମଧ୍ୟରୁ ଗୋଟିଏ ଜାହାନିଆ ପୀର ପୀଠ । ନଦୀ ମୁହାଣ, ସମୁଦ୍ର ଓ ଜଙ୍ଗଲର ପ୍ରାକୃତିକ ପରିବେଶର ଏହି ସ୍ଥାନ ବେଶ ମନୋଲୋଭା । ଏହି ପୀଠ ଭାଇ ଚାରାର ବାର୍ତ୍ତା ବହନ କରେ । କାରଣ 16ଶହ ଶତାବ୍ଦୀରୁ ପୀର ବାବାଙ୍କୁ ଉଭୟ ହିନ୍ଦୁ ମୁସଲିମ ପୂଜା କରିଆସୁଛନ୍ତି । ଶୀତ ଦିନେ ଏଠି ବଣ ଭୋଜିର ଆସର ଜମେ। ଖାଲି ସେତିକି ନୁହେଁ କାର୍ତ୍ତିକ ପୂର୍ଣ୍ଣିମାରେ ବାବାଙ୍କ ପୀଠରେ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଥାଏ।
କିମ୍ବଦନ୍ତୀ କହେ, ଷୋଡଶ ଶତାବ୍ଦୀରେ ବାଗଦାରୁ ଜଣେ ମୁସଲିମ ସନ୍ଥ ପୀରମୁକୁଦନ ଜାହାନିଆ ଜାହଗାଷ୍ଟର ଭାରତ ଭ୍ରମଣରେ ଆସି ଅସ୍ତରଙ୍ଗରେ ପହଞ୍ଚିଥିଲେ । ସମୁଦ୍ର କୂଳରେ ରହି ଲୋକଙ୍କ ସମସ୍ୟା ଦୂର କରୁଥିଲେ । ତାଙ୍କର ଚମତ୍କାରିତା ଧୀରେ ଧୀରେ ବ୍ୟାପ୍ତ ପରେ ସ୍ଥାନୀୟ ଅଞ୍ଚଳରେ ଲୋକ ମାନେ ତାଙ୍କର ଅନୁଗାମୀ ହେଲେ। ପରବର୍ତ୍ତୀ ସମୟରେ ତାଙ୍କର କଠଉକୁ ସ୍ଥାନୀୟ ଲୋକ ଏକ ମଜାର ଭିତରେ ରଖି ପୂଜାର୍ଚ୍ଚନା କରିଥିଲେ। ବାବାଙ୍କ ନାଁକୁ ନେଇ ସ୍ଥାନୀୟ ଅଞ୍ଚଳକୁ ପୀର ଜାହାନିଆ ପୀଠ ନାମରେ ନାମିତ କରାଗଲା। ଏହି ନିଆରା ସ୍ଥାନର ବିକାଶ ବହୁ ପଛରେ। ଏଠାରେ ଏକ ପୋଲିସ ଫାଣ୍ଡି ସ୍ଥାପନ ସହ ପାର୍କିଂ ସ୍ଥାନ, ରାସ୍ତାରେ ଆଲୋକ ବ୍ୟବସ୍ଥା ସମେତ ରିଫ୍ରେସ ମେଣ୍ଟ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି । କାରଣ ଏହି ସ୍ଥାନର ବିକାଶ ହେଲେ ଏଠାରୁ ପର୍ଯ୍ୟଟକଙ୍କ ଆହୁରି ଭିଡ ଜମନ୍ତା ଓ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ମଧ୍ୟ ଉନ୍ନତି ହୋଇପାରନ୍ତା ।
ବିଭିନ୍ନ ପ୍ରସଙ୍ଗକୁ ନେଇ ଅନେକ ସମୟରେ ହିନ୍ଦୁ ମୁସଲିମ ଉଭୟଙ୍କ ମଧ୍ୟରେ ଅନେକ ବିବାଦ ଦେଖା ଦେଉଥିବାବେଳେ, ଅସ୍ତରଙ୍ଗର ଏହି ପୀର ଜାହାନିଆ ପୀଠ କିନ୍ତୁ ଉଭୟ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ର ଏକ ଅନନ୍ୟ ସ୍ଥାନ ପାଲଟିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ