ଭୁବନେଶ୍ବର: ଧର୍ମ ମାସ କାର୍ତ୍ତିକରେ ପୁରୀରେ ପ୍ରବଳ ଭିଡ଼ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଚର୍ମଚକ୍ଷୁରେ ଦର୍ଶନ ପାଇଁ ଭକ୍ତଙ୍କ ଅସମ୍ଭାଳ ଭିଡ଼ ହେଉଥିବା ବେଳେ, ଅନେକ ଭକ୍ତ ଅଚେତ ହୋଇ ପଡ଼ୁଛନ୍ତି । ବିଶେଷ କରି ବୁଦ୍ଧ-ବୃଦ୍ଧାମାନେ ଅଣନିଶ୍ବାସୀ ହୋଇ ପଡ଼ୁଛନ୍ତି । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବ୍ୟବସ୍ଥା ନକରି, ବାରଣ କରୁଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିରୋଧୀ । ମନ୍ଦିରକୁ ଆସନ୍ତୁ ନାହିଁ ବୋଲି ଉପଦେଶ ଦେବାକୁ ପ୍ରଶାସକଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ପ୍ରଶାସନର ଏଭଳି ମନୋଭାବ ଶୋଭନୀୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ମୋହନ ମାଝି । ଯାହାର ଜବାର ରଖିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ ।
ପୁରୀ ଶ୍ରୀମନ୍ଦିରରେ ଗତ କିଛି ଦିନ ଧରି ଭକ୍ତଙ୍କ ପ୍ରବଳ ଭିଡ଼ ହେଉଛି । ସ୍ଥିତି ଏପରି ହୋଇଛି ଯେ, ମହାପ୍ରଭୁଙ୍କ ଦୁର୍ଲଭ ଦର୍ଶନ ପାଇଁ ଭକ୍ତମାନଙ୍କୁ ଘଣ୍ଟାଘଣ୍ଟା ଲାଇନରେ ଛିଡ଼ା ହେବାକୁ ପଡୁଛି । ଧାଡ଼ିରେ ଅପେକ୍ଷା କରି ବୟସ୍କ ଭକ୍ତମାନେ ଚେତା ହରାଇବା ଏବଂ କାନ୍ଦିବା ଦୃଶ୍ୟ ମଧ୍ୟ ସାମନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ଚାରିଦ୍ବାର ଖୋଲିବା ପାଇଁ ଜୋର ଧରିଛି ଦାବି । କିନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ବୟସ୍କ ଏବଂ ରୋଗୀମାନଙ୍କୁ ମନ୍ଦିର ନଆସିବା ପାଇଁ କହି ଦାୟିତ୍ୱ ସାରି ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ଦୁର୍ଭାଗ୍ୟଜନକ କଥା । ଶ୍ରୀମନ୍ଦିର ଅବ୍ୟବସ୍ଥା ପ୍ରସଙ୍ଗ କଂଗ୍ରେସ ବିଧାନସଭାରେ ଉଠାଇଥିଲା । ମନ୍ଦିରକୁ ଆସନ୍ତୁ ନାହିଁ ବୋଲି ଉପଦେଶ ଦେବାକୁ ପ୍ରଶାସକଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ? ସମ୍ବିଧାନ ଏବଂ ଆଇନ ଅନୁସାରେ ଧର୍ମ ସ୍ଥଳକୁ ପରିଦର୍ଶନ ପାଇଁ ସମସ୍ତଙ୍କର ଅଧିକାର ରହିଛି । ଚର୍ମ ଚକ୍ଷୁରେ ସମସ୍ତେ ଭଗବାନଙ୍କୁ ଦେଖିବା ପାଇଁ ଚାହାନ୍ତି । ମନ୍ଦିରର ସବୁ ଦ୍ଵାର ଖୋଲି ଦେଲେ ଏଭଳି ଅବସ୍ଥା ହୁଅନ୍ତା ନାହିଁ । ସବୁ ବନ୍ଦ କରି ଲୋକଙ୍କୁ ଯିବା ପାଇଁ ମନା କରିବା ସମ୍ବିଧାନ ବିରୋଧୀ ଏବଂ ବେଆଇନ କାମ ବୋଲି କହିଛନ୍ତି ନରସିଂହ ।
ଏହା ମଧ୍ୟ ପଢ଼ନ୍ତୁ: ଏବେ ବୟସ୍କ ଓ ରୋଗାଗ୍ରସ୍ତ ଭକ୍ତ ଶ୍ରୀମନ୍ଦିର ଆସନ୍ତୁ ନାହିଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ଏଭଳି ନିଷ୍ପତ୍ତି ଭକ୍ତଙ୍କ ମନରେ ଆଘାତ ଦେଇଛି । ଚାରି ଦ୍ଵାର ନଖୋଲି ଏଭଳି ବାରଣ କରିବା ଶୋଭାନୀୟ ନୁହେଁ । ସମସ୍ତ ଭକ୍ତ ମନ୍ଦିର ଆସିବେ ଏବଂ ଏଥିପାଇଁ ସମସ୍ତ ବନ୍ଦୋବସ୍ତ କରିବା ପ୍ରଶାସନର ହିଁ ଦାୟିତ୍ଵ । ନିଜ ଦାୟିତ୍ବରୁ ଦୂରେଇ ଭକ୍ତଙ୍କ ମନକୁ ଆଘାତ ଦେବା ଠିକ ନୁହେଁ । ବିଜେପି ସଠିକ ସମୟରେ ଏ ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ବୋଲି କହିଛନ୍ତି ମୋହନ ମାଝି ।
ବିଜେଡି ବିଧାୟକ ସୁଧୀର ସାମଲ ବାଢ଼ିଛନ୍ତି ଭିନ୍ନ ଯୁକ୍ତି । ସେ କହିଛନ୍ତି, "ମନ୍ଦିରଗୁଡ଼ିକରେ ଗହଳି ସମୟରେ ଏଡ଼ାଇଗଲେ ଚଳିବ । ସିରିଡ଼ି ଏବଂ ତିରୁପତିରେ ଦର୍ଶନ ପାଇଁ ଭକ୍ତମାନେ 5ରୁ 8 ଘଣ୍ଟା ଠିଆ ହେଉଛନ୍ତି । କିନ୍ତୁ ଏଠି ଭକ୍ତ ତିନି ଘଣ୍ଟା ଛିଡ଼ା ହେବା ପରେ, ବିରୋଧୀ କହୁଛନ୍ତି ବସି ପଡ଼ ଏବଂ ଫୋଟୋ ଉଠାଇ ଛାଡୁଛନ୍ତି । ବାରଣ କେହି କରିନାହାନ୍ତି,12 -12 ଘଣ୍ଟା ଛିଡା ହେବା ପାଇଁ ଧର୍ଯ୍ୟ ରଖନ୍ତୁ ବୋଲି ମନ୍ତବ୍ୟ ଦେଇଛନ୍ତି ବିଜେଡି ବିଧାୟକ ।"
ଏବେ ଚାଲିଛି ପବିତ୍ର କାର୍ତ୍ତିକ ମାସ । ଆଗକୁ ଆସୁଛି ପଞ୍ଚୁକ ଏବଂ ପରେ ପରେ ନୂଆ ବର୍ଷ । ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବ ପୁରୀକୁ । ଏପରି ସମୟରେ ବୃଦ୍ଧ ବୃଦ୍ଧାଙ୍କୁ ମନ୍ଦିର ନଆସିବା ପାଇଁ କହିବା ଜଗନ୍ନାଥପ୍ରେମୀଙ୍କୁ ଆନ୍ଦୋଳିତ କରିଛି ।
ଇଟିଭି ଭାରତ, ଭୁବନେଶ୍ବର