ପୁରୀ: ଜଣେ ଯୁବକଙ୍କୁ ହତ୍ୟାକରି ଖୁଲମ ଖୁଲା ବୁଲୁଛନ୍ତି ଅଭିଯୁକ୍ତ । ଘଟଣାକୁ ୪ ମାସ ବିତି ଯାଇଥିଲେ ହେଁ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ ପୋଲିସ । ଏପରିକି ହତ୍ୟା ମାମଲା ରୁଜୁ କରି ଏତଲା କପି ଦେବାକୁ ପୋଲିସ ଅହେତୁକ ବିଳମ୍ବ କରିବା ସହିତ ମୃତକଙ୍କ ପରିବାରକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଶେଷରେ ନ୍ୟାୟ ପାଇଁ ପୁରୀ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ ।
ସୂଚନା ଅନୁସାରେ, ପୁରୀ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମର ମଞ୍ଜୁଲତା ପ୍ରଧାନଙ୍କ ପୁଅ ମୁନା ପ୍ରଧାନଙ୍କ ବିବାହ ପ୍ରସ୍ତାବ ନୂଆଗାଁ ନିବାସୀ ଭଗୁ ବିଶ୍ଵାଳଙ୍କ ଝିଅ ସହ ପଡ଼ିଥିଲା । କିନ୍ତୁ ପରେ ଦୁଇ ପରିବାର ମଧ୍ୟରେ ମତାନ୍ତର ଯୋଗୁଁ ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିଲା । ତେବେ ଏହି ଘଟଣାକୁ ନେଇ ଝିଅ ଘର ଲୋକେ ଗତ ମାର୍ଚ୍ଚ ୧୬ ତାରିଖ ଦିନ ମୁନା ଉତ୍ତରକୋଣା ଯାଇଥିବା ବେଳେ ନୂଆଗାଁ ଛକ ନିକଟରେ ତାକୁ ଲୁହାଛଡ଼ ଓ ଅନ୍ୟ ମାରଣାସ୍ତ୍ର ଦ୍ବାରା ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଗୁରୁତର ଅବସ୍ଥାରେ ମୁନାକୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତର ବେଳେ ତାର ମୃତ୍ୟୁ ଘଟିଥିଲା ।
ଇଟିଭି ଭାରତ, ପୁରୀ