ପୁରୀ: ବେଳାଭୂମୀରୁ ମଧ୍ୟପ୍ରଦେଶ ଯୁବତୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିବା ଘଟଣାରେ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ବାପାଙ୍କ ମାଡ଼ରେ ମ୍ରିୟମାଣ ହୋଇ ରାଧିକା କୁଶୁହ୍ବା ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମଧ୍ୟପ୍ରଦେଶ ସାଗର ଗ୍ରାମର ରାଧିକା କୁଶୁହ୍ବାଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି । ରାଧିକା ନିଖୋଜ ହେବାର ପୂର୍ବଦିନ ତାଙ୍କ ବାପା ପ୍ରହଲ୍ଲାଦ କୁଶୁହ୍ବା ହୋଟେଲ ଭିତରେ ଝିଅକୁ ନିସ୍ତୁକ ମାଡ଼ ମାରିଥିଲେ । ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି ।
ଅତି ଅମାନୁଷିକ ଭାବେ ରାଧିକାଙ୍କୁ ହୋଟେଲ ସିଡିରେ ବସାଇ ମାଡ଼ ମାରିଥିଲେ ତାଙ୍କ ବାପା । ରାଧିକା ବିବାହ କରିବା ପାଇଁ ଜିଦ୍ ଧରିବାରୁ ତାଙ୍କୁ ମାଡ ମାରିଥିଲେ ବୋଲି ପୋଲିସ ଆଗରେ ତାଙ୍କ ବାପା ବୟାନ ଦେଇଛନ୍ତି । ଏହା ପରଦିନ ରାଧିକା ସକାଳୁ ହୋଟେଲରୁ କେଉଁଆଡେ ଚାଲିଯାଇଥିଲେ । ଗତ ୨୬ ତାରିଖରେ ତାଙ୍କ ମୃତଦେହ ମେରାଇନ୍ ଥାନା ଅନ୍ତର୍ଗତ ବାଲିଗୁଆଳି ବେଳାଭୂମିରୁ ମିଳିଥିଲା ।
ରାଧିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଥିଲେ । ତେବେ ଏହା ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ସେପଟେ ୨୩ ତାରିଖ ସକାଳେ ରାଧିକା ରହୁଥିବା ହୋଟେଲର ନିକଟସ୍ଥ ବେଳାଭୁମି ଗାନ୍ଧାରା ହୋଟେଲ ସମ୍ମୁଖ ଗଳିରେ ଯାଇ ଗଭୀର ସମୁଦ୍ର ଭିତରକୁ ପଶି ଯାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିଛନ୍ତି ।
ତେଣୁ ସମୁଦ୍ରରେ ଭାସିଯାଇ ସେ ପ୍ରଥମେ ନିଖୋଜ ଓ ପରେ ତାଙ୍କର ମୃତ୍ୟୁ ହୋଇ ଥାଇପାରେ ବୋଲି ଅନୁମାନ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ସେଠାର କିଛି ପର୍ଯ୍ୟଟକ ଉପସ୍ଥିତ ଥିଲେ ମଧ୍ୟ ରାଧିକାଙ୍କୁ ଉଦ୍ଧାର କରି ପାରି ନଥିଲେ । ତେବେ ବାପାଙ୍କ ମାଡ ପରେ ରାଧିକା ଗଭୀର ଦୁଃଖରେ ଭାଙ୍ଗି ପଡ଼ି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଏହାକୁ ନେଇ କୌଣସି ସ୍ପଷ୍ଟ ପ୍ରମାଣ ମିଳିନି ।
ଇଟିଭି ଭାରତ, ପୁରୀ