ପୁରୀ: କୋଣାର୍କରେ ଟିକେଟ ଓ ପାର୍କିଂକୁ ନେଇ ଅବ୍ୟବସ୍ଥା ପର୍ଯ୍ୟଟକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବଡ଼ଦିନ ଓ ନୂଆ ବର୍ଷ ପାଖେଇ ଆସୁଥିବା ବେଳେ କୋଣାର୍କକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ହେଲେ କୋଣାର୍କରେ ଅବ୍ୟବସ୍ଥା ପାଇଁ ପର୍ଯ୍ୟଟକଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।
କୋଣାର୍କ ମନ୍ଦିରକୁ ପ୍ରବେଶ ଟିକଟ ପାଇଁ ପର୍ଯ୍ୟଟକଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡୁଛି । କୋଣାର୍କକୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ମାତ୍ର ତିନିଟି ଟିକେଟ କାଉଣ୍ଟର ଥିବାରୁ ଟିକେଟ ଲମ୍ବା ଲାଇନ ସହ ଦୀର୍ଘ ସମୟ ଲାଗି ରହୁଛି । ଫଳରେ ପର୍ଯ୍ୟଟକଙ୍କ ମଧ୍ଯରେ ବିରକ୍ତି ଭାଗ ସୃଷ୍ଟି ହେଉଥିବା ବେଳେ ବେଳେବେଳେ ଟିକେଟ ପାଇଁ ହାତାହାତି ମଧ୍ଯ ହେଉଛନ୍ତି ।
ହେଲେ ଶାନ୍ତି ଶୃଙ୍ଖଳା ପାଇଁ ASIକୁ କୋଣାର୍କ ପୋଲିସ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା କରି ନଥିବା ଅଭିଯୋଗ ହୋଇଛି । ନୂଆ ବର୍ଷ ପାଇଁ କୋଣାର୍କକୁ ହଜାରହଜାର ପର୍ଯ୍ୟଟକ ଆସୁଥିବା ବେଳେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅଧିକ ଟିକେଟ କାଉଣ୍ଟର, ଅନ୍ଲାଇନରେ ଟିକେଟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥାର ଆବଶ୍ୟକ ରହିଛି । ଦେଶରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । କୋଣାର୍କରେ ଅବ୍ୟବସ୍ଥାକୁ ତୁରନ୍ତ ସୁଧାରିବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି ।