ବ୍ରହ୍ମଗିରି: ରାଜ୍ୟରେ ଦିନକୁ ଦିନ ସକ୍ରିୟ ହେଉଛନ୍ତି ବିଦେଶୀ ପକ୍ଷୀ ଶିକାରୀ । ଗତ କିଛିଦିନ ହେବ ରାଜ୍ୟରେ ଅନେକ ପକ୍ଷୀ ଶିକାରୀ ଧରା ପଡ଼ିଥିଲେ ମଧ୍ୟ ପୋଲିସ ଓ ବନବିଭାଗ ନିରବ ରହିଛି ।
ରାଜ୍ୟରେ ବଢୁଛି ଶୀତର ଲହରୀ, ତା' ସାଙ୍ଗକୁ ଚିଲିକାକୁ ମାଡ଼ି ଆସୁଛନ୍ତି ରଙ୍ଗ ବିରଙ୍ଗର ହଜାର ହଜାର ବିଦେଶୀ ପକ୍ଷୀ । ଦେଶ ବିଦେଶର ପକ୍ଷୀମାନଙ୍କ ସମାଗମ ଚିଲିକାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ଏହି ପକ୍ଷୀମାନଙ୍କ କୋଳାହଳକୁ ସାଉଁଟିବା ପାଇଁ କାହିଁ ଦେଶ ବିଦେଶର ପର୍ଯ୍ୟଟକମାନେ ଛୁଟି ଆସନ୍ତି । ଏହା ସାଙ୍ଗକୁ ବ୍ରହ୍ମଗିରି ଅଞ୍ଚଳର ଜଳାଶୟ ଗୁଡିକ ପକ୍ଷୀମାନଙ୍କର ଚରାଭୂଇଁ ପାଲଟିଛି।
ଏହାର ସୁଯୋଗ ନେଇ ବିଦେଶୀ ପକ୍ଷୀ ଶିକାରୀମାନେ ସକ୍ରିୟ ହେବାରେ ଲାଗିଛନ୍ତି। ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ଅଧିନ ଘଟକୁଡ଼ୀ ଗ୍ରାମରେ ଶିକାରୀମାନେ ପ୍ରତିଦିନ ଏକାଧିକ ବିଦେଶୀ ପକ୍ଷୀ ଶିକାର କରୁଥିବା ଦେଖିବାକୁ ମିଳିଛି। ଏଥିସହ ପକ୍ଷୀମାନଙ୍କ ଶିକାର କରି ମୋଟା ଟଙ୍କାରେ ବିକ୍ରି କରାଯାଉଛି। ଏଥି ପ୍ରତି ପୋଲିସ ପ୍ରଶାସନ କିମ୍ବା ବନବିଭାଗର ନିରବତା ଦେଖିବାକୁ ମିଳିଛି।
ପକ୍ଷୀଙ୍କ ଶିକାର ଏକ ଅପରାଧ ହୋଇଥିଲେ ମଧ୍ୟ କ୍ରମାଗତ ଭାବେ ଘଟକୁଡ଼ୀ ଗ୍ରାମରେ କ୍ରମାଗତ ଭାବରେ ଏଭଳି ଅପରାଧ ବଢି ଚାଲିଛି । ଏବେ ପକ୍ଷୀ ଶିକାରୀ ସକ୍ରିୟ ହୋଇଚାଲିଥିଲେ ମଧ୍ୟ ପ୍ରସାଶନ ଓ ବିନ ବିଭାଗର କୌଣସି ତତ୍ପରତା ଭାବ ଦେଖିବାକୁ ମିଳିନାହିଁ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ