ପୁରୀ: ଆଜି ଶ୍ରାବଣମଳ ମାସ ଶୁକ୍ଳପକ୍ଷ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପବିତ୍ର ହରିଶୟନ ଏକାଦଶୀ ନୀତି ପାଳିତ । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ହରିଶୟନ ଏକାଦଶୀଠାରୁ ଠାକୁର ଚାରିମାସ ଶୟନ କରିଥାନ୍ତି । ମହାପ୍ରଭୁ ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ । ଆଷାଢ଼ ଶୁକ୍ଳ ଏକାଦଶୀରେ ଏହି ଉତ୍ସବ ପାଳନ କରାଯାଏ । ଏହା ହରି ଶୟନ ଯାତ୍ରା ନାମରେ ସୁପରିଚିତ । ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଚାରି ମାସ ଧରି ଶୟନ କରୁଥିବାରୁ ଏହାକୁ ଚାତୁର୍ମାସ୍ୟା କୁହାଯାଏ ।
ଏହି ସମୟରେ ସାଧୁ, ସନ୍ଥ, ବୈଷ୍ଣବ ଓ ଅନ୍ୟାନ୍ୟ ଭକ୍ତ ବୃନ୍ଦ ଚାତୁର୍ମାସ୍ୟା ବ୍ରତ ପାଳନ କରିଥାନ୍ତି । କିନ୍ତୁ ଏବର୍ଷ ଶ୍ରାବଣ ମାସରେ ମଳମାସ ପଡ଼ୁଥିବାରୁ ଏ ମାସରେ ଗୋଟିଏ ଅଧିକ ମାସ ହୋଇଛି । ସେଥିପାଇଁ ବାହୁଡ଼ା ଦଶମୀ ପର ଏକାଦଶୀରେ ହରିଶୟନ ନୀତି, ଦ୍ୱାଦଶୀରେ ଗରୁଡ଼ ଶୟନ ନୀତି ଏବଂ ଚତୁର୍ଦ୍ଦଶୀରେ ଶିବଶୟନ ନୀତି ପାଳିତ ହୋଇ ନାହିଁ । ତାହା ଯଥାକ୍ରମେ ଶ୍ରାବଣମଳ ଶୁକ୍ଳ ଏକାଦଶୀ, ଦ୍ୱାଦଶୀ ଓ ଚତୁର୍ଦ୍ଦଶୀରେ ପାଳିତ ହେଉଛି । କାରଣ ସେମାନେ ଦେବତା ହେଲେ ମଧ୍ୟ, ଶାସ୍ତ୍ର ଅନୁସାରେ, ନିର୍ଦ୍ଦିଷ୍ଟ ଅବଧିରୁ ଅଧିକ ଦିନ ବା ପାଞ୍ଚମାସ ଶୋଇବା ତାଙ୍କ ପାଇଁ ଅବିଧି । ଚାରି ମାସ ଶୋଇବା ହିଁ ବିଧି ତେଣୁ ଆଜି ଠାରୁ ଚାରିମାସ ପର୍ଯ୍ୟନ୍ତ କୌଣସି ଶୁଭକାର୍ଯ୍ୟ ହେବ ନାହିଁ ।
ହରିଶୟନ ଏକାଦଶୀର ବିଧି: ଶ୍ରୀମନ୍ଦିର ଭଣ୍ଡାର ଘରୁ ତିନି ମୂର୍ତ୍ତି ଶୟନ ଠାକୁର ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ତିନୋଟି ରୌପ୍ୟ ଥାଳିରେ ବିଜେ ହୋଇଥାନ୍ତି । ତିନି ବାଡ଼ରେ ଯଥାକ୍ରମେ ବଡବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ଵରୀ ଓ ମହାପ୍ରଭୁଙ୍କ ବାଡ଼ରେ ଶ୍ରୀନାରାୟଣ ଏହି ତିନି ବିଗ୍ରହମାନଙ୍କୁ ବିଜେ କରାଇ ଶ୍ରୀଅଙ୍ଗ ଲାଗି ହେଲେ ପୂଜାପଣ୍ଡା ମହାସ୍ନାନ ପୂଜା ବଢ଼ିଇଥାନ୍ତି । ଏହି ଦିନ ରାତ୍ରିରେ ଦୁଇଥର ବଡ଼ ସିଂହାର ବେଶ ଓ ଭୋଗ ହୋଇଥାଏ । ପ୍ରଥମେ ଶୟନ ଠାକୁରମାନେ ବିଜେ ହୋଇ ଶ୍ରୀଅଙ୍ଗ ଲାଗି ହେବା ପରେ ପୁନଃ ବଡ଼ସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହୋଇଥାଏ । ଏହାକୁ ବଲ୍ଲଭ ବଡ଼ସିଂହାର କୁହାଯାଇଥାଏ ।
ଆଜି ଶ୍ରୀଜୀଉ ସର୍ବାଙ୍ଗ ଲାଗି , ନୂଆ ପତନି ଓ ମାଳଫୁଲ ଲାଗି ହୋଇ ବେଶ ବଢ଼ିଥାଏ । ଏହାପରେ ପାଣି ପଡି ଟେରା ବନ୍ଧାଯିବା ପରେ ଘଣ୍ଟ , ଛତ୍ର , କାହାଳି ସହ ବଲ୍ଲଭ ବଡ଼ସିଂହାର ହୋଇଥାଏ । ଏହା ଷୋଡଶ ଉପଚାର ବିଧିରେ ଅନୁଷ୍ଠିତ ହୋଇଥାଏ । ଶୟନ ଘରେ କୋଠ ସୁଆଁସିଆ ଦେଇଥିବା ପେଡାତାଟ ଏବଂ ଦର୍ଜି ସେବାୟତ ଦେଇଥିବା ଶଯ୍ଯାରେ ଠାକୁର ଶୟନ କରିଥାନ୍ତି ।
ଇଟିଭି ଭାରତ, ପୁରୀ