ପୁରୀ: ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ଏବେ ବିପଦରେ । ଏନେଇ ବେଳା ମାର୍ଗରେ ସମୁଦ୍ର ଜୁଆର ମାଡ଼ ଯୋଗୁ ପୁଣି ଧୋଇ ଯାଇଛି ସୁରକ୍ଷା ପ୍ରାଚୀର। ମେରାଇନ ଡ୍ରାଇଭ୍ ରୋଡର ସୁରକ୍ଷା ପାଇଁ ହୋଇଥିବା ଅସ୍ଥାୟୀ ସୁରକ୍ଷା ବାଡ ଏବେ ପୁଣି ଧୋଇଯାଇଛି।
ତେବେ ସମୁଦ୍ର ର ଉଚ୍ଚ ଜୁଆର ଯୋଗୁଁ ଏହି ଅସ୍ଥାୟୀ ସୁରକ୍ଷା ବାଡ ଭାଙ୍ଗି ଯାଇ ଥିବା ଜଣାପଡିଛି । ତେବେ ଏନେଇ ପୁରୀ କୋଣାର୍କ ମେରାଇନ ରୋଡ ସମୁଦ୍ର ଗର୍ଭରରେ ଲିନ ହୋଇ ଯିବାର ଆଶଙ୍କା ରହିଛି । ରାସ୍ତାକୁ ସୁରକ୍ଷା ଦେବା ପାଇଁ ବଲା ଓ ବାଲି ବସ୍ତା ଦିଆଯାଇ ଥିଲେ ମଧ୍ୟ ତାହା ସୁରକ୍ଷା ଦେଇ ପାରୁନାହିଁ । ତେଣୁ ତୁରନ୍ତ ସ୍ଥାୟୀ ପ୍ରାଚୀର ନିର୍ମାଣ ପାଇଁ ଦାବି ହୋଇଛି । ତେବେ ଗତ 2004 ମସିହାରେ ଜାତୀୟ ରାଜପଥ କର୍ତ୍ତୃପଷଙ୍କ ଦ୍ବାରା ଏହାର ସର୍ଭେ କରାଯାଇ ଥିଲା । ଏହା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ର ସୁରକ୍ଷା ପାଇଁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇ ପାରିନାହିଁ ।
ଗତ ରବିବାର ଉଚ୍ଚ ଜୁଆର ମାଡ ଯୋଗୁଁ ଇକୋ ରିଟ୍ରିଟ ନିକଟରେ ମେରାଇନ୍ ରୋଡ଼ର ସୁରକ୍ଷା ପ୍ରାଚୀର ଭୁଶୁଡି ପଡ଼ିଥିଲା । ତେବେ ବାଲି ମାଫିଆ ମାନେ ସେଠାରୁ ବାଲି ଚୋରା ଚାଲାଣ କରୁଥିବା ହେତୁ ଏଭଳି ଅବସ୍ଥା ହୋଇଥିବା ବେଳାଭୂମି ସୁରକ୍ଷା ପରିଷଦ ଅଭିଯୋଗ କରିଛି । ପ୍ରାକୃତିକ ବାଲି ବନ୍ତକୁ ବାଲି ମାଫିଆ ଲୁଟ କରିବା ପରେ ଏଭଳି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି । ତୁରନ୍ତ ରାଜ୍ୟ ସରକାର ସମୁଦ୍ର କୂଳ ରୁ ବାଲି ଉଠାଇବା ଉପରେ କଠୋର କାର୍ଯ୍ୟନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଆହୁରି ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ଅଭିଯୋଗ କରିଛି ବେଳାଭୂମି ସୁରକ୍ଷା ପରିଷଦ । ତେବେ ମୁମ୍ବାଇ, ଚେନ୍ନାଇ, ଭଳି ସମୁଦ୍ର କୂଳ ରେ ଥିବା ସହର ର ସୁରକ୍ଷା ପାଇଁ ଯେଉଁ ଭଳି ସ୍ଥାୟୀ ସୁରକ୍ଷା ପ୍ରାଚୀର ତଥା ବ୍ୟବସ୍ଥା ହୋଇଛି । ସେହି ଭଳି ପଦକ୍ଷେପ ନେଲେ ଉପକୂଳ ସୁରକ୍ଷା ହୋଇ ପାରିବ । ନ ହେଲେ ଆଗାମୀ ଦିନରେ ସମୁଦ୍ରକୂଳରେ ଥିବା ସମସ୍ତ ରାସ୍ତା ଠାରୁ ଆରମ୍ଭ କରି ଗାଁ ଗଣ୍ଡା ସମୁଦ୍ର ଗର୍ଭକୁ ଚାଲିଯିବ ବୋଲି ବେଳାଭୂମି ସୁରକ୍ଷା ପରିଷଦ କହିଛି ।
ସୂଚନା ଥାଉକି, ପୂର୍ଣ୍ଣମୀ ପ୍ରଭାବରେ ଆଶାନ୍ତ ସମୁଦ୍ର କୁଳ ଲଙ୍ଘିବା ସହିତ ରାସ୍ତା ମୁଁହା ହେଉଛି । ଏନେଇ ବିପଦରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା । କାରଣ ସମୁଦ୍ର ଜୁଆର ମାଡ଼ି ଆସି ଏକାଧିକ ସ୍ଥାନରେ କୂଳ ଖାଇବା ଆରମ୍ଭ କରିଛି । ଫଳରେ ରାସ୍ତାରେ ବିପଦ ଶଙ୍କୁଳ ସ୍ଥିତି ଉପୁଜିଛି । ଏଥିସହ ବେଳା ମାର୍ଗରେ ସମୁଦ୍ର ଜୁଆର ମାଡ଼ ଯୋଗୁଁ ଭୁଶୁଡ଼ି ପଡିଥିଲା ସୁରକ୍ଷା ପ୍ରାଚୀର । ଏହାର ପ୍ରଭାବରେ ପ୍ରଭାବରେ ୩୩ କେଭିର ବିଦ୍ୟୁତ ଖୁଣ୍ଟ ଦୁଇଟି ଉପୁଡି ଯାଇଥିଲା । ଫଳରେ ପୁରୀ କୋଣାର୍କ ରାସ୍ତା ପାଇଁ ସୃଷ୍ଟି ହୋଇଛି ବିପଦ ।
ଇଟିଭି ଭାରତ, ପୁରୀ