ପୁରୀ: କୋରୋନା ପାଇଁ ସାରାଦେଶ ଏବେ ଲକଡାଉନ ସ୍ଥିତିରେ । ଆଉ ଏଥିରେ ହତାସ ହୋଇ ପଡ଼ିଛନ୍ତି ମତ୍ସ୍ୟଜୀବୀ । ଲକଡାଉନ ପରଠାରୁ ବିଶେଷ କରି ସମୁଦ୍ର କୁଳିଆ ମତ୍ସଜୀବୀଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି । ସମୁଦ୍ର ଭିତରକୁ ମାଛ ମାରି ଯିବାକୁ କଟକଣା ଯୋଗୁଁ ପୁରୀର ଅସ୍ତରଙ୍ଗର ମତ୍ସ୍ୟଜୀବୀ ଅବସ୍ଥା ବେହାଲ । ରୋଜଗାର ନ ଥିବା ହେତୁ ଘର ଚଳାଇବା କଠିକାର ପାଠ ହୋଇ ପଡ଼ିଲାଣି । ଏଭଳି କଟକଣା ଅନିଶ୍ଚିତତା ଭିତରେ ରହିଲେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ବୁଡିଯିବ ବୋଲି ସେମାନେ କହିଛନ୍ତି।
ତେବେ ଜୀବିକା ହରାଇବା ପରଠୁ ପୁରୀଜିଲ୍ଲାର 50 ହଜାରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ଭୋକ ଉପାସରେ ଦିନ କାଟୁଛନ୍ତି । କୂଳରେ ସହ ସହ ମାଛଧରା ଡ଼ଙ୍ଗା ପଡିଥିବା ବେଳେ ମାଛ ଗୋଦାମ ବି ଖାଲି ପଡିଛି । ଏପଟେ ଅସ୍ତରଙ୍ଗ ଥାନା ଅଧିକାରୀ ସମୁଦ୍ର ଭିତରକୁ ମତ୍ସଜୀବୀ ମାନେ କିପରି ନଯିବେ ସେଥିପାଇଁ କଡା ନଜର ରଖିଛି ।
ବିଶେଷ କରି ଜଳପଥରେ ବେଆଇନ ଭାବେ ଅନ୍ୟ ରାଜ୍ୟରୁ ଅନେକ ଲୋକ ଆସିବା ସମ୍ଭାବନା ଥିବାରୁ ସମୁଦ୍ରକୁ ମାଛ ମାରି ଯିବାକୁ ପୁରୀ ଜିଲ୍ଲା ପ୍ରଶାସନ କଡା କଟକଣା କରିଛି । ପୁରୀର ସମସ୍ତ ମେରାଇନ ଥାନା ପକ୍ଷରୁ 24 ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ