ବ୍ରହ୍ମଗିରି: ତହସିଲ ଘେରିଲେ ଚାଷୀ ମୂଲିଆ ସଙ୍ଘ । ସିପାସରୁବଲୀ ମୌଜାରେ ହେବାକୁ ଥିବା ଶାମୁକା ହୋଟେଲ ପକଳ୍ପ ଏବଂ ବିମାନବନ୍ଦର ବାତିଲ ଓ ଗିରଫ କରାଯାଇଥିବା ସମିତିର ଆବାହକ ବଟକୃଷ୍ଣ ସ୍ବାଇଁଙ୍କୁ ମୁକ୍ତ ଆଦି ଦାବି କରି ଉପକୂଳୀୟା ଜମି ଓ ଜଙ୍ଗଲ ସୁରକ୍ଷା ସମିତି ଏବଂ ଚାଷୀ ମୂଲିଆ ସଙ୍ଘ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ପ୍ରକଳ୍ପଟିର ପରିକଳ୍ପନା ଦିନଠାରୁ ଏହା ବହୁ ବାଦ ବିବାଦ ମଧ୍ୟ ଦେଇ ଗତି କରୁଛି । ତେବେ ଏସବୁ ସତ୍ତ୍ବେ ଏବେ ଏହି ବିବାଦୀୟ ପ୍ରକଳ୍ପକୁ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି ।
ସୂଚନା ମୁତାବକ, ଉକ୍ତ ଅଞ୍ଚଳରେ ଥିବା ଜଙ୍ଗଲ ଉପରେ ଆଖପାଖ ଅଞ୍ଚଳର 25 ଖଣ୍ଡ ଗାଁର ଲୋକେ ଏହା ଉପରେ ନିର୍ଭର କରନ୍ତି । ବିମାନ ବନ୍ଦର ସ୍ଥାପନ ଦ୍ବାରା ଜଙ୍ଗଲ ନଷ୍ଟ ହେବାର ସମ୍ଭାବନା ରହିଛି । ଏହାଦ୍ବାରା ଉକ୍ତ ଅଞ୍ଚଳବାସୀଙ୍କ ଅର୍ଥନୀତି ପ୍ରଭାବିତ ହେବ। ଏଣୁ ତୁରନ୍ତ ଶାମୁକା ହୋଟେଲ ପକଳ୍ପ ଏବଂ ବିମାନ ବନ୍ଦର ବାତିଲ କରିବାକୁ ଦାବି କରି ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜମି ଓ ଜଙ୍ଗଲ ସୁରକ୍ଷା ସମିତି ଏବଂ ଚାଷୀ ମୂଲିଆ ସଙ୍ଘ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ