ପୁରୀ: ନାବାଳକ ଶିଶୁ ରୋଗୀଙ୍କ ଉପରକୁ ହାତ ଉଠାଇଲେ ଡାକ୍ତର । ଅସ୍ତ୍ରୋପଚାର ସମୟରେ କାନ୍ଦିବାରୁ ନିରୀହ ଶିଶୁକୁ ସେ ମାରିଥିବା ଅଭିଯୋଗ ହୋଇଛି । ତେବେ ଡାକ୍ତରଙ୍କ ମାଡରେ ଶିଶୁଟିର ମୁହଁରେ ଆଘାତ ଲାଗି ଶିଶୁଟି ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ସେପଟେ ଏହି ଘଟଣା ପରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି । ଏଭଳି ଏକ ଅପ୍ରିତିକର ଘଟଣା ଦେଖିବାକୁ ମିଳିଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ।
ସୂଚନା ମୁତାବକ, ପୁରୀ ମିଶ୍ର ସାହି ନିବାସୀ ବିନୋଦିନୀ ମହାନ୍ତି ନିଜ ୧୦ବର୍ଷର ନାତିକୁ ଧରି ଛୋଟ ଅପରେସନ ପାଇଁ ପୁରୀ ମେଡିକାଲ ଆସିଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶିଶୁଟିକୁ ଅସ୍ତ୍ରୋପଚାର ରୁମକୁ ଅଣାଯାଇଥିଲା। ତେବେ ଇଞ୍ଜେକ୍ସନ ଯୋଗୁଁ ଶିଶୁଟି କାନ୍ଦିବାରୁ ପି.କେ.ଜେନା ନାମକ ଜନୈକ ସର୍ଜରୀ ଡାକ୍ତର ତାକୁ ମାରିଥିଲେ। ଫଳରେ ତା ଗାଲରେ ଗଭୀର କ୍ଷତ ହେବା ସହ ଫୁଲିଯାଇଥିଲା । ଏହା ବ୍ୟତିତ ଉକ୍ତ ଡାକ୍ତରଖାନାରେ ଅସ୍ତ୍ରୋପଚାର ପାଇଁ ୭୦୦ ଟଙ୍କା ଲାଞ୍ଚ ମଧ୍ୟ ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ତେବେ ଏନେଇ ଶିଶୁଟିର ପରିବାର ଲୋକେ ସିଡିଏମଓଙ୍କୁ ଜଣାଇବା ସହ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିବା ସିଡିଏମଓ ସ୍ୱୀକାର କରିଛନ୍ତି । ଘଟଣାର ତଦନ୍ତ ପାଇଁ ଏଡିଏମଓଙ୍କୁ ଦାୟିତ୍ୱ ଦିଆଯାଇଛି । ଯଦି ଘଟଣାର ସତ୍ୟତା ଜଣାପଡେ ତେବେ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ