ପୁରୀ : ଭିନ୍ନକ୍ଷମଙ୍କ ପାଇଁ ସାତ ସପନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ପ୍ରଥମେ ଯୋଜନାରେ ସାମିଲ କଲେ, ପରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ଆସିଲା । କିନ୍ତୁ ଟଙ୍କା ଆସିବା ପରେ ଆକାଉଣ୍ଟ ହୋଲ୍ଡ ହୋଇଯାଇଛି । ସେନେଇ ବାରମ୍ଭାର ବ୍ଲକକୁ ଯାଇ ନୟାନ୍ତ ହେଲେଣି ହିତାଧୀକାରୀ । ବ୍ଲକ ପ୍ରଶାସନଙ୍କୁ ପଚାରିବାରୁ ସେହି ଚିରାଚରିତ ଢଙ୍ଗରେ ଉତ୍ତର ଦେଲେ ଯେ, ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ।
ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ରତାପଡ଼ା ଗ୍ରାମରେ । ଗାଁର ବାନାମ୍ବର ମଲ୍ଲିକ ଜଣେ ଭିନ୍ନକ୍ଷମ ଓ ଗରିବ ବ୍ୟକ୍ତି । ଓଳିଏ ଖାଇଲେ ଓଳିଏ ଉପାସ । ବାତ୍ୟା ଫନିରେ ଘର ଭାଙ୍ଗିଯିବା ପରେ ଭଙ୍ଗା ଆଜବେଷ୍ଟସକୁ ଯୋଡ଼ି ପଲିଥିନ ଟାଣି ମୁଣ୍ଡ ଗୁଞ୍ଜିଥିଲେ ବାନାମ୍ବର । ଗାଁରେ ତିନି ଜଣିଆ କମିଟି ବାନାମ୍ବରଙ୍କ ବାସ୍ତବ ସ୍ଥିତିକୁ ତଦନ୍ତ କରି ତାଙ୍କୁ ସରକାରୀ ଆବାସ ହିତାଧିକାରୀ ତାଲିକାଭୁକ୍ତ କରିଥିଲେ । ଏହାପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଟଙ୍କା ମଧ୍ୟ ଆସିଲା । କିନ୍ତୁ ପରେ ବ୍ଲକ ପ୍ରଶାସନ ଜମା ଖାତାକୁ ହୋଲ୍ଡ କରି ଦେଇଛନ୍ତି । ଆକାଉଣ୍ଟ ହୋଲ୍ଡ ହେବା ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବାନାମ୍ବର । ଏନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବାରମ୍ଭାର ପଚାରିବା ସତ୍ତ୍ବେ କୌଣସି ଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ।
ଏହା ମଧ୍ୟ ପଢ଼ନ୍ତୁ ... କାମ୍ପା ଯୋଜନାରେ ଦୁର୍ନୀତି ଅଭିଯୋଗ, ବନ ବିଭାଗର ତଦନ୍ତ
ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା ଅନୁସାରେ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ । ବାନାମ୍ବର ହେଉଛନ୍ତି ଜଣେ ଯୋଗ୍ୟ ହିତାଧିକାରୀ । ଫନି ବାତ୍ୟାରେ ତାଙ୍କ ଘର ମାଟିରେ ମିଶି ଯାଇଥିବା ବେଳେ ଥ୍ରୀ ମ୍ୟାନ କମିଟିର ତିନି ଥର ତଦନ୍ତ ହେବା ପରେ ସେ ଏହି ଆବାସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସେପଟେ ଭିନ୍ନକ୍ଷମ ଦମ୍ପତି ଏନେଇ ଡେଲାଙ୍ଗ ଅତିରିକ୍ତ ବିଡିଓଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲା । ତେବେ ଅତିରିକ୍ତ ବିଡିଓ ତାଙ୍କ ସମସ୍ୟା ବିଡିଓଙ୍କୁ ଅବଗତ କରାଇ ଗାଇଡଲାଇନ ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଲୋକଙ୍କ ବାସ୍ତବ ସ୍ଥିତିକୁ ଦେଖି ଯଦି ଯୋଜନା ପ୍ରଦାନ କରାଯାଉଛି । ସଠିକ ସମୟରେ କଣ ପାଇଁ ଲୋକେ ତାର ଫଳ ପାଉନାହାନ୍ତି ।
ଇଟିଭି ଭାରତ, ପୁରୀ