ପୁରୀ : ପୁରୀ ଅସ୍ତରଙ୍ଗରେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବଡବାପା ଓ ପୁଅକୁ ଗିରଫ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ତିନି ଜଣ ଯୁବକ ଫେରାର ଥିବା ବେଳେ ଅସ୍ତରଙ୍ଗ ପୋଲିସ୍ ଅଭିଯୁକ୍ତକୁ ଏ ପର୍ଯ୍ୟନ୍ତ ଗିରଫ କରି ପାରୁନାହିଁ । ଯାହାକୁ ନେଇ କଂଗ୍ରେସ ପ୍ରତିବାଦ କରିଛି । ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମର୍ଥକ ହୋଇଥିବାରୁ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିବାରେ ପଛଘୁଞ୍ଚା ଦେଇଥିବା ଅଭିଯୋଗ କରିଛି କଂଗ୍ରେସ ।
ଏହି ଘଟଣାକୁ ନେଇ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ପୀଡ଼ିତାଙ୍କ ପରିବାରକୁ ଭେଟି ପ୍ରକୃତ ଘଟଣାର ଅନୁଧ୍ୟାନ କରିଛି । ଜଣେ ଦଳିତ ଭିନ୍ନକ୍ଷମ ନାବାଳିକା ଉପରେ ଅତ୍ୟାଚାର ସୀମା ସବୁ ଟପି ଯାଇଥିବା ବେଳେ ଅଭିଯୁକ୍ତକୁ ଅସ୍ତରଙ୍ଗ ପୋଲିସ୍ ଗିରଫ ନକରି ଚୁପ୍ ବସିଛି । ନବୀନ ସରକାରରେ ଦୁଷ୍କର୍ମକାରୀ, ହତ୍ୟାକାରୀ, ଅପରାଧୀଙ୍କୁ ପୋଲିସ୍ ସବୁବେଳେ ସୁରକ୍ଷା ଦେଇ ଆସିଥିବା କଂଗ୍ରେସ ଅଭିଯୋଗ କରିଛି । ତେବେ ପୁରୀ ପୋଲିସ୍ ଦିବ୍ୟାଙ୍ଗ ଦଳିତ ନାବାଳିକାକୁ ତୁରନ୍ତ ନ୍ୟାୟ ନଦେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ସୂଚନା ଅନୁସାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ 15 ବର୍ଷର ନାବାଳିକାକୁ ନିଜ ବଡବାପା ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଝିଅର ମାଆ । ଏନେଇ ଅସ୍ତରଙ୍ଗ ଥାନାରେ 14/23 ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ବଡବାପା ପୁଅକୁ ଗିରଫ କରି ଅଧିକ ପଚରାଉଚରା କରୁଛି ଅସ୍ତରଙ୍ଗ ପୋଲିସ । ସୂଚନାନୁସାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗଡଗୋପାଳପୁର 15 ବର୍ଷର ଦିବ୍ୟାଙ୍ଗ ଝିଅ ନିଜ ବଡ଼ ବାପା ଘରକୁ ଟିଭି ଦେଖିବା ପାଇଁ ଯାଇଥିଲେ । ପରେ ଶୌଚ ହେବାକୁ ବାଡ଼ି ପଛକୁ ଯାଇଥିବା ବେଳେ ତାଙ୍କ ବଡ଼ ବାପା ପୁଅ ସହ ଅନ୍ୟ 3 ଜଣ ଯୁବକ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ ।
ଏପରିକି ଦୁଷ୍କର୍ମର ଭିଡ଼ିଓ ମଧ୍ୟ ମୋବାଇଲରେ କରିଥିଲେ । କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏଭଳି ଲିଖିତ ଅଭିଯୋଗ ଆଣିଛନ୍ତି ଝିଅର ମାଆ । ଅଭିଯୋଗ ମିଳିବା ପରେ ଅସ୍ତରଙ୍ଗ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ଅବହେଳା କରୁଥିବା ପୀଡ଼ିତାର ମାଆ ଅଭିଯୋଗ କରିଛନ୍ତି । ତାଙ୍କୁ ନ୍ୟାୟ ଦରକାର ବୋଲି ଗୁହାରି କରିଛନ୍ତି । ସେପଟେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଗଣଦୁଷ୍କର୍ମକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଲାଗି ରହିଛି । ତୁରନ୍ତ ପୋଲିସ ଅଭିଯୁକ୍ତଙ୍କୁ ଧରି କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛି ।
ଇଟିଭି ଭାରତ, ପୁରୀ