ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି: ଆରୋଗ୍ୟ ନିମନ୍ତେ ଲାଗି ହେବ ଦଶମୂଳ ମହୌଷଧୀ - puri
ଆଷାଢ କୃଷ୍ଣ ଦଶମୀ ତିଥି । ଅଣସର ଗୃହରେ ହେବ ମହାପ୍ରଭୁଙ୍କ ଚକାବିଜେ ନୀତି ସମ୍ପନ୍ନ । ଶ୍ରୀଜିଉଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବା ସହ ରାଜବୈଦ୍ୟ ମହାପ୍ରଭୁଙ୍କ ଲାଗି ଦଶମୂଳ ମହୌଷଧି ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିବେ ଆଉ ଏହି ମୋଦକକୁ ଆସନ୍ତାକାଲି ଶ୍ରୀଜିଉମାନଙ୍କୁ ଲାଗି ହେବ ।
ପୁରୀ: ଆଜି (ଶୁକ୍ରବାର) ଆଷାଢ କୃଷ୍ଣ ଦଶମୀ ତିଥି । ଅଣସର ଗୃହରେ ହେବ ମହାପ୍ରଭୁଙ୍କ ଚକାବିଜେ ନୀତି ସମ୍ପନ୍ନ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରାରେ ଗାଧୋଇବା ପରେ ଜ୍ବରରେ ପୀଡିତ ଶ୍ରୀବିଗ୍ରହଙ୍କ ଶାସ୍ତ୍ରାନୁମତେ ଚାଲିଛି ଚିକିତ୍ସା । ଶ୍ରୀଜିଉଙ୍କ ଗୁପ୍ତନୀତି ଓ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହେଉଛନ୍ତି ଦାରୁବିଗ୍ରହ । ଏହି ଚକାବିଜେ ନୀତି ସମ୍ପନ୍ନ ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବେ ।
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବା ସହ ରାଜବୈଦ୍ୟ ମହାପ୍ରଭୁଙ୍କ ଲାଗି ଦଶମୂଳ ମହୌଷଧି ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିବେ ଆଉ ଏହି ମୋଦକକୁ ଆସନ୍ତାକାଲି ଶ୍ରୀଜିଉମାନଙ୍କୁ ଲାଗି ହେବ ।
ଦଶମୀ ଦିନ କଳା ମୁଗୁନି ପ୍ରସ୍ତର ନିର୍ମିତ ତିନିଗୋଟି ଚକା ଉପରେ ବିଗ୍ରହମାନଙ୍କୁ ବିଜେ କରାଇ ଦଇତାପତିମାନେ କୁଙ୍କୁମ, ଚନ୍ଦନ ଶ୍ରୀଅଙ୍ଗରେ 'ଶ୍ବେତଅଙ୍ଗରାଗ' ଲେପନ କରିଥାନ୍ତି । ନବମୀ ପର୍ଯ୍ୟନ୍ତ ଶ୍ବେତଅଙ୍ଗରାଗ ଲାଗି ହେଉଥିବା ବେଳେ ଦଶମୀଠାରୁ ପୂର୍ଣ୍ଣ ଅଙ୍ଗରାଗ ଲାଗି ହୋଇଥାଏ ।
ଅଣସରରେ ଥାଇ ଶ୍ରୀବିଗ୍ରହଙ୍କୁ ଜ୍ବରରୁ ଆରୋଗ୍ୟ ନିମନ୍ତେ ସେବନ କରିବା ପାଇଁ ଦଶମୂଳ ପାଚନ ବା ଦଶମୂଳ ମହୌଷଧୀ ଅର୍ପଣ କରାଯାଇଥାଏ । ଦଶ ଗୋଟି ଗଛର ମୂଳ, ବେଲ୍, ଗମ୍ଭାରୀ, ଫଣଫଣା, ଅଗବଥୁ, ପାଟେଳୀ, ଶାଳପର୍ଣ୍ଣୀ, କୃଷ୍ଣପର୍ଣ୍ଣୀ, ବୃହତୀ(ଲଟା ବରକୋଳି), ଅଙ୍କରାନ୍ତି, ଓ ଗୋଖୁରା ଏହି ଦଶ ଗୋଟି ଓୌଷଧୀୟ ମୂଳକୁ ବ୍ୟବହାର କରନ୍ତି ଅଟନ୍ତି ।
ଗର୍ଭଣା ସଂକ୍ରାନ୍ତିରେ ଦଶ ଜଣ ଲୋକ ଏହି ଦଶଟି ମୂଳକୁ ପୃଥକ ରୂପେ ସଂଗ୍ରହ କରି ଆଣି ପାଣିରେ ସିଝାଇ ତିଆରି କରାଯାଇଥିବା ପାଚନ ମୋଦକ ପ୍ରସ୍ତୁତ କରାଯାଇଥାଏ । ପରେ ଏହା ମହାବାହୁଙ୍କ ଜ୍ବର ଚିକିତ୍ସାରେ ବ୍ୟବହୃତ ହୋଇଥାଏ । ଆଉ ଏହି ଦଶମୂଳ ସେବନ ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଆନ୍ତି । ଦ୍ବାଦଶ ଦିନ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରାଯାଇଥାଏ ।
ବ୍ୟୁରୋ ଇନପୁଟ,ଇଟିଭି ଭାରତ