ପୁରୀ: ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ । ପୁରୀ ଜିଲ୍ଲା ବିଜେଡିରେ ଦଳୀୟ କନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି । ନେତା ନେତାଙ୍କ ମଧ୍ୟରେ ବଢୁଛି ବିବାଦ । ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡାଙ୍କୁ କୃଷ୍ଣପ୍ରସାଦ ବ୍ଲକରେ ବିରୋଧ ଓ ଆକ୍ରମଣ ହୋଇଛି । ବିଜେଡିର ସ୍ଥାନୀୟ ଜଣେ ବରିଷ୍ଠ ନେତାଙ୍କ କର୍ମୀ ଏହି ଆକ୍ରମଣ କରିଛନ୍ତି ବୋଲି କୁହାଯାଉଛି । ଯାହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।
କୃଷ୍ଣପ୍ରସାଦ ଅଞ୍ଚଳର ବିଭିନ୍ନ ସ୍ଥାନରେ କିଛି କର୍ମୀଙ୍କୁ ନେଇ 28 ନମ୍ୱର ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡ଼ା ବୈଠକ କରୁଥିଲେ । ବୈଠକ ସାରି ଫେରୁଥିବା ସମୟରେ ଚିଲିକା ଜହ୍ନିକୁଦା ଘାଟ ନିକଟରେ କିଛି ବିଜେଡିର କର୍ମୀ ତାଙ୍କୁ ବିରୋଧ କରି ଆକ୍ରମଣ କରିଥିଲେ। କୈଳାସ ପରିଡା ପରିଡା ପଞ୍ଚାୟତ ନିର୍ବାଚନ ଠାରୁ ଏକାକୀ ବିଭିନ୍ନ ସ୍ଥାନରେ ବୈଠକ କରୁଥିବା ବେଳେ ସେ ଏଭଳି କାହିଁକି କରୁଛନ୍ତି କହି କିଛି ବ୍ୟକ୍ତି ଆକ୍ରମଣ କରିଥଲେ । ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ସୁନ୍ଦରଗଡ଼ ବିଜେଡିରେ ଫାଟ, 2 ଗୋଷ୍ଠୀ ମୁହାଁମୁହିଁ
କେବଳ ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ପୁରୀରେ ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ଓ ବିଜୁ ଯୁବ ଜନତା ଦଳର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ମଧ୍ୟ ଏକ ବୈଠକରେ ହାତାହାତି ହେଇଥିଲେ । ଯାହାକି ପୁରୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା । ସେହିପରି ଗତ କିଛିଦିନ ତଳେ ନିମାପଡ଼ା ବିଧାୟକ ସମୀର ଦାଶ ଗୋପ ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ କିଛି ବିଜେଡ଼ିର କର୍ମୀ ବିରୋଧ କରିଥଲେ । ଫଳରେ ବିଧାୟକ ସମୀର ଦାଶ ଅଡ଼ୁଆରେ ପଡ଼ିଥିଲେ । ହେଲେ ଗୋପ ପୋଲିସ ପହଞ୍ଚି ବିଧାୟକଙ୍କୁ ଉଦ୍ଧାର କରିଥିଲା । ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁରୀ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଥିବା ବେଳେ ମାଡ ପିଟ ଓ ହାତାହାତି ପର୍ଯ୍ୟନ୍ତ କଥା ଗଲାଣି ।
ଏହି ଗୋଷ୍ଠୀ କନ୍ଦଳ ଯୋଗୁଁ 2019 ନିର୍ବାଚନରେ ବିଜେଡି ପୁରୀ ସଦର, ବ୍ରହ୍ମଗିରି ଆସନ ହାରିଥିବା ବେଳେ ବିଜେପି ଏହି ଦୁଇ ଆସନରେ ଜିତିଥିଲା । ତେବେ ପୁରୀ ଜିଲ୍ଲାରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ବଢ଼ି ଚାଲିଥିବା ବେଳେ ଆଗାମୀ ଦିନରେ ବିଜେଡ଼ିର ବରିଷ୍ଠ ନେତା ଏଥି ପ୍ରତି ଦୃଷ୍ଟି ନଦେଲେ ବିଜେଡି ପାଇଁ କାଳ ହେବ ବୋଲି ଚର୍ଚ୍ଚା ହେଉଛି।
ଇଟିଭି ଭାରତ, ପୁରୀ