ପୁରୀ: ବସଷ୍ଟାଣ୍ଡରୁ ଚୋରି ହୋଇ ଗଲା ବସ । ପୁରୀ ବସଷ୍ଟାଣ୍ଡ ରେ ଗତକାଲି ରାତି ଘଟିଯାଇଛି ଅଭାବନୀୟ ଚର୍ଚ୍ଚିତ ଘଟଣା । ବସଷ୍ଟାଣ୍ଡ ପରିସରରୁ ଚୋରି ହୋଇଯାଇଛି ଓଡ଼ି 13 ଏଫ୍ 0678 ଖଣ୍ଡେଇ ନାମକ ଏକ ବସ। ବସ ଷ୍ଟାଣ୍ଡରେ ରାତରେ ମାଳମାଳ ବସ କର୍ମଚାରୀଙ୍କ ଉପସ୍ଥିତି ଓ ପୋଲିସ୍ ପାଟ୍ରୋଲିଂ ସତ୍ତ୍ବେ ଚୋରି ହୋଇ ଗଲା ବସ। ହେଲେ ଆଶ୍ଚର୍ଯ୍ୟ ର ବିଷୟ ଏହି ବସ ଚୋରିର କେହି ଟେର ପାଇଲେନି। ଏବେ ପ୍ରଶ୍ନ ଉଠୁଚି ଯେଉଁଠି ରାତିରେ ବସ ଚୋରି ହୋଇ ଯାଉଛି ସେଠୀ ଯାତ୍ରୀ କେତେ ସୁରକ୍ଷିତ ? କିଛି ଦିନ ପୁରୀ ବସଷ୍ଟାଣ୍ଡ ରେ ନବିକରଣ ଓ ଯାତ୍ରୀ ସୁରକ୍ଷା ବ୍ୟବସ୍ଥା ଆଳରେ ପୁରୀ ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିଥିଲା। ହେଲେ ପୁରୀ ବସଷ୍ଟାଣ୍ଡରୁ ବସ ଚୋରି ପରେ ଏବେ ପୁରୀ ବସ ଷ୍ଟାଣ୍ଡ ରେ ଯାତ୍ରୀ, ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଆଶା ଆଶଂକା ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ ଗତକାଲି ପୁରୀ ରୁ କଟକ ଚଳାଚଳ କରୁଥିବା ଓଡି 13 ଏଫ୍ 0678 ଖଣ୍ଡେଇ ବସ କଟକ ରୁ ପୁରୀ ଆସି ସଂଧ୍ୟା 7 ଟା 30 ରେ ପୁରୀ ବସ ଷ୍ଟାଣ୍ଡ ରେ ପାର୍କିଂ କରିଥିଲା। ତେବେ ଆଜି ସକାଳୁ ବସ ପାଖକୁ ହେଲପର୍ ଡ୍ରାଇଭର ଯିବା ବେଳେ ବସ ଟି ସ୍ଥାନରେ ନଥିଲା। ପରେ ଚୋରି ହେବା ଆଶଙ୍କା କୁ ନେଇ ପୁରୀ କୁମ୍ଭାରପଡ଼ା ଥାନା ରେ ଏତଲା ଦେଇ ଥିଲେ ବସ କର୍ମଚାରି। ତେବେ ବସ ଟି ପୁରୀ ଗୋପ ରାସ୍ତା ର ଛଇତନା ବଜାର କଡ ରେ ଥିବା ସୂଚନା ମିଶିଥିଲା। ହେଲେ ବସ ଷ୍ଟାଣ୍ଡ ରୁ ବସ ଟି ପ୍ରାୟ 15 କିଲୋମିଟର ଦୂର କୁ କିଏ ନେଲା ତାହା ଏବେ ଅସ୍ପଷ୍ଟ ରହିଛି । ପୁରୀ ବସ ଷ୍ଟାଣ୍ଡ ରେ ସିସିଟିଭି ଅଚଳ ଥିବାରୁ ବସ କୁ କିଏ ନେଇଥିଲା ମିଳିନାହିଁ ସୂଚନା । ତେବେ ବସ ଯେଉଁ ରାସ୍ତା ଦେଇ ଯାଇଚି ସେହି ଅଂଚଳ ର ସିସିଟିଭି ଜାଞ୍ଜ କରି ସୁରାକ ପାଇବା ଆଶା ରଖିଚି ପୋଲିସ୍।
ସେପଟେ ପୁରୀ ବସ ଷ୍ଟାଣ୍ଡ ରେ ଏଭଳି ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ଓ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବସ ମାଲିକ୍ ଓ କର୍ମଚାରି। ପୁରୀ ବସ ଷ୍ଟାଣ୍ଡ ରେ ନବୀ କରଣ କାର୍ଯ୍ଯ କିଛି ଦିନ ତଳେ ଶେଷ ହୋଇ ଥିବା ବେଳେ ସୁରକ୍ଷିତ ଯାତ୍ରୀ ପରିବହନ ହୋଇ ପାରିବ ବୋଲି ପୁରୀ ଜିଲାପାଳ କହିଥିଲେ। ହେଲେ ଦୁଃଖ ର ବିଷୟ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ପୁରୀ ବସ ଷ୍ଟାଣ୍ଡ ରେ ସୁରକ୍ଷା ନେଇ ସିସିଟିଭି ର ସଠିକ୍ ବ୍ୟବସ୍ଥା ନ ଥିବା ଘଟଣା ଦେଖିଲେ ଜଣା ପଡ଼ୁଛି ପୁରୀ ପ୍ରଶାସନ ର ଯାତ୍ରୀ ଓ ପର୍ଯ୍ୟଟକ ଙ୍କ ସୁରକ୍ଷା ପ୍ରତି ତିଲେ ହେଲେ ମଧ୍ୟ ଦାୟିତ୍ଵ ନାହିଁ। ତେବେ ଏହି ଘଟଣା ସମ୍ପର୍କ ରେ ପୋଲିସ୍ ପ୍ରଶାସନ ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଇଟିଭି ଭାରତ, ପୁରୀ