ନୂଆପଡା: ଦୁର୍ବୃତ୍ତ ନୁହେଁ ଜ୍ବାଇଁର ଗୁଳିମାଡରେ ଶାଶୁ ମୃତ । ଗତରାତିରେ ନୂଆପଡା ଡୁଆଝର ଗାଁ ଆପନା ଢ଼ାବା ହୋଟେଲରେ ୨ ଦୁର୍ବୃତ୍ତ ଆସି ହୋଟେଲ ମାଲିକାଣୀଙ୍କୁ ଗୁଳିମାଡ କରିଥିଲେ । ଏଥିରେ ମହିଳା ଜଣଙ୍କ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ତେବେ ମୃତ ମହିଳାଙ୍କ ଝିଅର ଜ୍ୱାଇଁ ଏହି ଘଟଣା ଭିଆଇଥିବା ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତ୍ରି ପ୍ରାୟ ୯ ଘଟିକା ସମୟରେ ଆପନା ଢ଼ାବାରେ ଢ଼ାବା ମାଲିକ ବିଭୀଷଣ ମେହେର ତାଙ୍କ ସ୍ତ୍ରୀ ବାସନ୍ତୀ ମେହେର ଢ଼ାବାରେ ଥିବା ବେଳେ ୨ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଢାବାରେ ଖାଇବା ପରେ ଧୂମ୍ରପାନ କରି ମାଲିକାଣି ବାସନ୍ତୀ ମେହେରଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ବନ୍ଧୁକଟିକୁ ସେହିଠାରେ ଫୋପାଡି ଦେଇ ଫେରାର ହୋଇଯାଇଥିଲେ । ଫଳରେ ମହିଳା ଜଣଙ୍କ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।
ଏନେଇ ଖବର ପାଇ ଖଡିଆଳ ଆଇଆଇସି (IIC) କୈଳାସ ଚନ୍ଦ୍ର ସେଠି, SDPO ସନ୍ତକ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ସ୍ୱତନ୍ତ୍ର ଟିମ ଗଠନ କରି ପୃଥକ ପୃଥକ ଭାବରେ ତଦନ୍ତ ଚଳାଇଥିଲେ । ଅଭିଯୁକ୍ତକୁ ଖୁବଶିଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଉଛି। ଅପରପକ୍ଷେ ମୃତକ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରାଯାଉଥିବା ଜଣାପଡିଛି। ତେବେ ମୃତ ମହିଳାଙ୍କ ଝିଅ ଜ୍ବାଇଁଙ୍କ ଦାମ୍ପତ୍ୟ ଜୀବନ କଳହକୁ ନେଇ ଝାରସୁଗୁଡାର ଜ୍ୱାଇଁ ମିନକେତନ ମେହେର ହିଁ ଗୁଣ୍ଡା ପଠାଇ ଏଭଳି ଘଟଣା ଘଟାଇଥିବା କୁହାଯାଉଛି । ତାଙ୍କୁ ଗିରଫ କରି ଫାଶୀ ଦିଆଯାଉ ବୋଲି ମୃତ ମହିଳାଙ୍କ ଭାଇ ଦାବି କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ