ନୂଆପଡା: ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଖେଳ ପଡ଼ିଆରେ ଆୟୋଜିତ ହୋଇଯାଇଛି ସଂକୀର୍ତ୍ତନ ମହୋତ୍ସବ 2023 । ମହୋତ୍ସବ ଖୋଳା ମଞ୍ଚ ଠାରେ ଏକାଠି ହୋଇ ମୃଦଙ୍ଗ ଗିନି ବଜାଇ ନୃତ୍ୟ ପରିବେଷଣ କଲେ 10 ହଜାର ସଂକୀର୍ତ୍ତନ କଳାକାର । କଳା ସାହିତ୍ୟ ସଂସ୍କୃତିର ସୁରକ୍ଷା ଓ ପୁନରୁଦ୍ଧାର କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମହୋତ୍ସବ ପାଳିତ ହୋଇଥାଏ । ହେଲେ ସଂକୀର୍ତ୍ତନ ମହୋତ୍ସବ ଟିକିଏ ନିଆରା । ଏହି ମହୋତ୍ସବ ଓଡ଼ିଶାରେ ପ୍ରଥମ କରି ଆୟୋଜିତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ବେଶ ପ୍ରଶଂସା କରିଛନ୍ତି।
ଓଡିଶା କଳା ଓ ସଂସ୍କୃତି ପରିଷଦ ସଭାପତି ତ୍ରିମନ ମାଝୀ ଓ ନୂଆପଡା ଜିଲ୍ଲା କଳା ଓ ସଂସ୍କୃତି ପରିଷଦ ସଭାପତି ବିଶିଷ୍ଟ ପାଲାଗାୟକ ଅର୍ଜୁନ ଛତରିଆଙ୍କ ମିଳିତ ପ୍ରଚେଷ୍ଟାରେ ସଂକୀର୍ତ୍ତନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ମହୋତ୍ସବରେ ବଲାଙ୍ଗୀର, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ଦେବଗଡ, ସମ୍ବଲପୁର, ସୋନପୁର, ରାୟଗଡା ଭଳି ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ 10ହଜାର ସଂକୀର୍ତ୍ତନ କଳାକାର ମହାମିଳନ ହୋଇପାରିଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଡ଼. ରବି ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝୀ,ଖଡ଼ିଆଳ ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳି ନନ୍ଦ ସାମିଲ ହୋଇଥିଲେ।
ଏଥିସହ ନାଟ୍ୟକାର ଜିତେନ୍ଦ୍ରନାଥ ପଟ୍ଟନାୟକ, ଖଡ଼ିଆଳ ଏନଏସି ଚେୟାନମ୍ୟାନ ଉଜ୍ଜଳ ଗୁପ୍ତା ଯୋଗ ଦେଇଥିବା ବେଳେ ବିଶିଷ୍ଟ ସାହିତ୍ୟିକ ଡ଼. ସୁଶାନ୍ତ କୁମାର ବିଶି, କବି ଗୌରାଙ୍ଗ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ସଂକୀର୍ତ୍ତନ ମହୋତ୍ସବ ଜରିଆରେ କଳାକାରଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଆଗାମୀ ଦିନରେ କଳାକାରଙ୍କ ସମସ୍ୟାକୁ ନେଇ ବିଧାନସଭାରେ ପ୍ରଶ୍ନ କରିବେ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ଏହା ସହିତ ଭବିଷ୍ୟତରେ ହଜାର ହଜାର ସଂକୀର୍ତ୍ତନ କଳାକାର ଏକାଠି ନୃତ୍ୟ କରି ଗିନିଜ ବୁକ ଅଫ ରେକର୍ଡ ସୃଷ୍ଟି କରିବେ ବୋଲି ଆୟୋଜକ ମତ ରଖିଛନ୍ତି ।
ସଂକୀର୍ତ୍ତନ ମହୋତ୍ସବ ରାଜ୍ୟରେ ପ୍ରଥମ କରି ଅନୁଷ୍ଠିତ ହୋଇଥିବାରୁ ବିଭିନ୍ନ ପ୍ରାନ୍ତରୁ ସଂକୀର୍ତ୍ତନ କଳାକାର ଯୋଗଦେଇଥିଲେ । ମହୋତ୍ସବରେ ଏକାଠି 10 ହଜାର କଳାକାର ନୃତ୍ୟ ପରିବେଷଣ ସମସ୍ତଙ୍କୁ ବିମୋହିତ କରିଥିଲା । ଆଗକୁ ହଜାର 20 ହଜାରରୁ ଊର୍ଦ୍ଧ୍ବ କଳାକାର ଏକାଠି ନୃତ୍ୟ କରିବେ ବୋଲି କୁହାଯାଉଛି । ସ୍ୱର୍ଗତ ଚତୁର୍ଭୁଜା ମିଶ୍ର ଅସ୍ଥାୟୀ ସାଂସ୍କୃତିକ ରଙ୍ଗମଞ୍ଚ ଠାରେ ସଂକୀର୍ତ୍ତନ ମହୋତ୍ସବ 2023 ଆଡମ୍ବର ସହିତ ପାଳିତ ହୋଇଯାଇଛି ।
ଇଟିଭି ଭାରତ, ନୂଆପଡା