ନୂଆପଡା: ସିନାପାଲି 14 ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟ ପ୍ରିୟରଞ୍ଜନ ମେହେରଙ୍କ ଆହ୍ବାନ କ୍ରମେ କୋଭିଡ ମୁକାବିଲା ପାଇଁ ଆଗେଇ ଆସିଲେ ସ୍ଥାନୀୟ ସଚେତନ ନାଗରିକ । ନିର୍ବାଚିତ ଜନ ପ୍ରତିନିଧି, ସରକାରୀ ଅଧିକାରୀ, ସରକାରୀ କର୍ମଚାରୀ ଏବଂ ବଦାନ୍ୟ ବ୍ୟକ୍ତି ବିଶେଷ କୋଭିଡ-19 ଯୁଦ୍ଧରେ ଅକ୍ସିଜେନ ସିଲିଣ୍ଡର ଧରି ସୈନିକ ସାଜିଲେ ।
25 ଜଣ ବଦାନ୍ୟ ବ୍ୟକ୍ତି ବିଶେଷ କୋଭିଡ ଯୁଦ୍ଧର ସେନା ବାହିନୀ ସାଜି ସ୍ବଇଚ୍ଛାରେ ମଙ୍ଗଳବାର ନୂଆପଡା ଜିଲ୍ଲାପାଳ ସ୍ବଧାଦେବ ସିଂଙ୍କୁ 25 ଗୋଟି ଅକ୍ସିଜେନ ସିଲିଣ୍ଡର ଦାନ କରିଛନ୍ତି। ଆଗାମୀ ଦିନରେ ଏହି ଅକ୍ସିଜେନ ସିଲିଣ୍ଡର ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଗରିବ ଅସହାୟ କୋଭିଡ ରୋଗୀଙ୍କ ପାଇଁ ସଞ୍ଜୀବନି ସାଜିବ ବୋଲି ଅକ୍ସିଜେନ ସିଲିଣ୍ଡର ଦାନ କରିଥିବା ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି।
ଜିଲ୍ଲାପାଳ ସ୍ବଧାଦେଵ ସିଂ 25 ଗୋଟି ଅକ୍ସିଜେନ ସିଲିଣ୍ଡରର ସୁପରିଚାଳନା ତଥା ରକ୍ଷଣାବେକ୍ଷଣ ପାଇଁ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡାକ୍ତର ସଂଜୀବ କୁମାର ନାୟକଙ୍କୁ ଦାୟିତ୍ବ ଅର୍ପଣ କରିଛନ୍ତି। ସିନାପାଲି ଅଞ୍ଚଳର ବଦାନ୍ୟ ବ୍ୟକ୍ତି ସରକାରୀ ଅଧିକାରୀ ଦାନ ଦାତାମାନଙ୍କ ଏଭଳି ସେବା ମନୋଭାବକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ