ନୂଆପଡା: ଗରିବ ଅସହାୟଙ୍କ ପାଇଁ ସରକାର ବାର୍ଦ୍ଧକ୍ୟ ଭତ୍ତା ଯୋଜନା କରିଛନ୍ତି । ଯେଉଁଥିରେ ସରକାର ପ୍ରତି ମାସରେ ଗରିବ ଅସହାୟ ବୃଦ୍ଧବୃଦ୍ଧା ,ବିଧବା ଓ ଦିବ୍ୟାଙ୍ଗଙ୍କୁ ମାସିକ 500 ଟଙ୍କା ଭତ୍ତା ପ୍ରଦାନ କରାଯାଏ । ମାତ୍ର ପ୍ରତିମାସର 15 ତାରିଖ ସୁଦ୍ଧା ଭତ୍ତା ଟଙ୍କା ବଣ୍ଟନ କରିବାକୁ ନୂଆପଡା ଜିଲ୍ଲା ପ୍ରଶାସନ ନିୟମ କରିଥିଲେ ବି ଆଜିକୁ 2 ମାସ ବିତି ଯାଇଥିଲେ ବି ହିତାଧିକାରୀଙ୍କୁ ଟଙ୍କା ଦିଆଯାଇନାହିଁ ।
ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଖଡିଆଳ ବ୍ଲକ ଖୁଦପେଜ ଗ୍ରାମପଞ୍ଚାୟତ ମହୁଲମୁଣ୍ଡା ଗାଁରୁ । ଜଣେ କି ଦୁଇ ଜଣ ନୁହେଁ ଶତାଧିକ ହୀତାଧିକାରୀଙ୍କ 2 ମାସର ଭତ୍ତା ଟଙ୍କା ସରପଞ୍ଚ ଏବଂ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହଡପ କରିଥିବା ଅଭିଯୋଗ ହୋଇଛି ।
ଗତ ଜାନୁୟାରୀ ଏବଂ ଫେବୃୟାରୀ ମାସର ଭତ୍ତା ପାଇ ନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଅନ୍ୟପଟେ ବାର୍ଦ୍ଧକ୍ୟ ଭତ୍ତା ଠିକ ସମୟରେ ନପାଇ ଅସହାୟ ବୃଦ୍ଧବୃଦ୍ଧାମାନେ ବହୁ ଦୁଃଖକଷ୍ଟରେ ଚଳୁଛନ୍ତି । ଭତ୍ତା ଟଙ୍କାରେ କିଏ ଔଷଧ ଖାଉଥିବାବେଳେ, 2 ମାସର ଟଙ୍କା ନପାଇ ଦୁର୍ବିସହ ଜୀବନ ବିତାଉଛନ୍ତି । ତେବେ ଖୁଦପେଜ ସରପଞ୍ଚ ଓ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭତ୍ତା ଟଙ୍କା ହଡପ କରିଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।
ଅପରପକ୍ଷେ ଗ୍ରାମପଞ୍ଚାୟତ ମେମ୍ବର ଘଟଣାକୁ ନିନ୍ଦା କରିବା ସହ ସରପଞ୍ଚ ଏବଂ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚଞ୍ଚକତା କରି ଭତ୍ତା ଟଙ୍କାକୁ ଦୀର୍ଘ 10 ମାସ ହେବ ଆତ୍ମସାତ କରିଆସୁଥିବା ଅଭିଯୋଗ କରିଛନ୍ତି । ଅଭିଯୋଗର ସତ୍ୟତା ଜାଣିବା ପାଇଁ ଆମେ ସାକ୍ଷାତ କରିଥିଲୁ ଖୁଦପେଜ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ । ସେ କହିଛନ୍ତି ଘଟଣାର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ