ନୂଆପଡା: ଜିଲ୍ଲା ବୋଡେନ ବ୍ଲକ ଦୁର୍ଗମ ମାଓ ପ୍ରବଣ ଭଇଁସାଦାନୀ ଗ୍ରାମପଞ୍ଚାୟତରେ ସାମାଜିକ ସୁରକ୍ଷା ଯୋଜନା ଫେଲ ମାରିଥିବା ଅଭିଯୋଗ । ବୃଦ୍ଧ, ବୃଦ୍ଧା, ବିଧବା, ଶାରୀରିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଦୀର୍ଘବର୍ଷରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ମିଳୁନଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।
ସରକାର ଏହି ନିୟମକୁ ପରିବର୍ତ୍ତନ କରି ନିଜ ଆକାଉଣ୍ଟରେ ବ୍ୟାଙ୍କ ଜରିଆରେ ଭତ୍ତା ଟଙ୍କା ପ୍ରଦାନ କରିବାର ନିୟମ କରିଛନ୍ତି, ଯାହା ଅସହାୟ ବୃଦ୍ଧ-ବୃଦ୍ଧା ଏବଂ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି କରୁଛି । ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ 120 କିଲୋମିଟର ଦୂର ମାଓ ପ୍ରବଣ ବୋଡେନ ବ୍ଲକ ଭଇଁସାଦାନୀ ଗ୍ରାମ ପଞ୍ଚାୟତ ରୁଣ୍ଡି ଗ୍ରାମ ଠାରେ ବୃଦ୍ଧ-ବୃଦ୍ଧା, ଶାରୀରିକ ଭିନ୍ନକ୍ଷମ ହିତାଧିକାରୀଙ୍କ ମହାମେଳି ଦେଖିବାକୁ ମିଳିଛି । ମେଳିରେ ଏକ ମାତ୍ର ସ୍ଲୋଗାନ ପୂର୍ବଭଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ପ୍ରଦାନ କରାଯାଉ ।
ବୟସର ଅପରାହ୍ନରେ ଦୀର୍ଘ 30 କିଲୋମିଟର ବୋଡେନ ବ୍ୟାଙ୍କ କାର୍ଯ୍ୟାଳୟକୁ ଯାଇ ଭତ୍ତା ଟଙ୍କା ଉଠାଣ କରିବା ସମ୍ଭବ ହୋଇପାରୁ ନାହିଁ ବୋଲି ବୃଦ୍ଧ-ବୃଦ୍ଧା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଚଳିତ National Social Security Act ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ମଧୁବାବୁ ପେନସନ ଯୋଜନା ଜରିଆରେ ଅସହାୟ ବୃଦ୍ଧ-ବୃଦ୍ଧା ଶାରୀରିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମାସିକ 500 ରୁ 700 ଟଙ୍କା ଲେଖାଏଁ ଭତ୍ତା ଟଙ୍କା ପ୍ରଦାନ କରିବାର ନିୟମ ରହିଛି । ଏହି ନିୟମ ଆଧାରରେ ପୂର୍ବରୁ ହିତାଧିକାରୀଙ୍କୁ ନିଜ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ମିଳୁଥିଲା ।
ସରକାର ଏହି ନିୟମକୁ ପରିବର୍ତ୍ତନ କରି ଏବେ ବ୍ୟାଙ୍କ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ହେଲେ ମାଓ ପ୍ରବଣ ଦୁର୍ଗମ ଭଇଁସାଦାନୀ ଗ୍ରାମପଞ୍ଚାୟତ ହିତାଧିକାରୀଙ୍କୁ ଦାଉ ସାଜିଛି ସରକାରଙ୍କ ନୂଆ ନିୟମ । କାରଣ କାଠଫେଡ ଗାଁରୁ ବ୍ୟାଙ୍କ 40 କିଲୋମିଟର, ପାଟଦରା ଗାଁରୁ 30 ଏବଂ ଭଇଁସାଦାନୀ ଗାଁରୁ 20 କିଲୋମିଟର ଦୂରତା ରହିଛି । ଏତେ ଦୂର ବାଟ ବୃଦ୍ଧ ବୃଦ୍ଧା ଯାଇ ଟଙ୍କା ଆଣିବା ସମ୍ଭବ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ।
ଏନେଇ ପଚାରିବାରୁ ଭତ୍ତା ଟଙ୍କା ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଅଞ୍ଚଳର ଏହି ବୟସ୍କମାନଙ୍କ ସାହା କହିଲେ କେବଳ ଭତ୍ତା ଟଙ୍କା । ଏଥିପାଇଁ ପାଖାପାଖି ୪୦ କିଲୋମିଟର ଯାତ୍ରା ମଧ୍ୟ ସେମାନଙ୍କ ପକ୍ଷେ ସମ୍ଭବପର ନୁହେଁ, ତେଣୁ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ବୋଲି ସାଧାରଣରେ ଦାବି ।
ଇଟିଭି ଭାରତ, ନୂଆପଡା