ନୂଆପଡା: ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ନୂଆପଡା । ଜିଲ୍ଲାର ନୂଆପଡା, ଖଡ଼ିଆଳ, କୋମନା, ସିନାପାଲି ଏବଂ ବୋଡେନ ବ୍ଲକର ବିଭିନ୍ନ ଅଞ୍ଚଳରେ ଗତ 2 ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ଫଳରେ ବର୍ଷା ପାଣିରେ ଖଡିଆଳ ସୁନ୍ଦର ନଦୀ, ସିନାପାଲି ଉଦନ୍ତୀ ନଦୀ, ଖରିଆରରୋଡ଼ ଜୋଙ୍କ ନଦୀ ଏବଂ କୋମନା ଇନ୍ଦ୍ର ନଦୀରେ ପ୍ରବଳ ବନ୍ୟା ପାଣି ପ୍ରବାହିତ ହେଉଛି । ଚାଷ ଜମିରେ ମଧ୍ୟ ବନ୍ୟା ବିତ୍ପାତ ଦେଖାଦେଇଛି ।
ବିଶେଷ କରି ବୋଡେନ ଆମ୍ବେଦକର ପଡା ଲୋକେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ବର୍ଷା ପାଣି ଆମ୍ବେଦକର ପଡାର ପ୍ରତ୍ୟେକଙ୍କ ଘରେ ପଶି ସ୍ଥିତି ବେହାଲ କରି ଦେଇଛି । ଏପିକି ଗଳିରାସ୍ତା ଗୁଡିକରେ ଆଣ୍ଠୁଏ ପାଣି ଜମାଟ ବାନ୍ଧି ରହିଛି ।
ସେପଟେ ବର୍ଷା ପାଣି ଯୋଗୁଁ ବିଷଧର ସାପ, ବେଙ୍ଗ ଆଦି ସରୀସୃପ ଜୀବଙ୍କ ଭୟ ପଡାବାସୀଙ୍କୁ ଲାଗି ରହିଛି । ପାଣି ନିଷ୍କାସନ ପାଇଁ ବୋଡେନ ସରପଞ୍ଚ, ବୋଡେନ ବିଡ଼ିଓ, ନୂଆପଡା ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି । ଏଭଳି ସ୍ଥିତିରେ ତୁରନ୍ତ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ