ନୂଆପଡା: ଜିଲ୍ଲା ଖଡିଆଳ ବସଷ୍ଟାଣ୍ଡ ଠାରେ 500 ଅସହାୟ ପରିବାରକୁ ଶୁଖିଲା ରାସନ ପ୍ରଦାନ କରାଯାଇଛି । ଭୁବନେଶ୍ବରର ଏମଜିଏମ ଗ୍ରୀନ ଏନର୍ଜି ଲିମିଟେଡ ଫରେଷ୍ଟ ପାର୍କ ସହାୟତାରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଥିବା ଜଣାପଡିଛି ।
ଖଡ଼ିଆଳସ୍ଥିତ ଟ୍ୟାକ୍ସି ୟୁନିୟନ, ଅଟୋ ୟୁନିୟନ, ଶ୍ରମିକ ୟୁନିୟନର 500 ଅସହାୟ ଗରିବ ହିତାଧିକାରୀଙ୍କୁ ଏହି ରାସନ ଯୋଜନାରେ ସାମିଲ କରାଯାଇଛି । ଜଣେ ହିତାଧିକାରୀଙ୍କୁ 15 ଦିନର ରାସନ ଯୋଗାଇ ଦିଆଯାଇଛି । ଯେଉଁଥିରେ ଚାଉଳ, ଡାଲି, ଅଟା, ଚିନି, ତେଲ, ଅମୂଲ ପାଉଡର, ମସଲା ପ୍ୟାକେଟ, ଚା ଗୁଣ୍ଡ, ସାବୁନ ଆଦି ଖାଉଟି ସାମଗ୍ରୀ ମହଜୁଦ ରହିଛି ।
ମହାମାରୀ କୋଭିଡ-19କୁ ମୁକାବିଲା କରିବା ପାଇଁ ସରକାର ମାସ ମାସ ଧରି ଲକଡାଉନ ଘୋଷଣା କରିଛନ୍ତି । ଯାହାର ପ୍ରଭାବ ଟ୍ୟାକ୍ସି ଅଟୋ ଚାଳକଙ୍କ ସ୍ବଳ୍ପ ରୋଜଗାର ଉପରେ ପ୍ରଭାବ ପକାଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଏମାନଙ୍କ ପାଇଁ ଘର ଚଳାଇବା କଷ୍ଟକର ହୋଇପଡିଛି । ଏଭଳି ସ୍ଥିତିରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅଞ୍ଚଳବାସୀଙ୍କ ହିତ ସାଧନା ପାଇଁ ଏମଜିଏମ ଗ୍ରୀନ ଏନର୍ଜି ଲିମିଟେଡ ଡାଇରେକ୍ଟର ତନୁଜ ମହାନ୍ତିଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ । ଏହାପରେ ତାଙ୍କ ସହାୟତାରେ 500 ଅସହାୟ ପରିବାରକୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଇପାରିଛି।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ