ନୂଆପଡା: ସରକାର ମାଆ ଓ ଶିଶୁର ସୁରକ୍ଷା ପାଇଁ ସମନ୍ନିତ ଶିଶୁ ବିକାଶ ଯୋଜନା ଜରିଆରେ ରାଜକୋଷରୁ କୋଟି କୋଟି ଅର୍ଥ ଖର୍ଚ୍ଚ କରୁଛନ୍ତି । ଶିଶୁଙ୍କ ଶାରୀରିକ, ମାନସିକ ତଥା ବୌଧିକ ଶିକ୍ଷା ଗ୍ରହଣ ପାଇଁ ସରକାର ଅଙ୍ଗନବାଡି କେନ୍ଦ୍ର କରିଛନ୍ତି । ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଘର କରି ପିଲାଙ୍କୁ ଶିକ୍ଷାଦାନ କରାଯାଉଛି । ହେଲେ ସେହି ଘର ପିଲାଙ୍କ ପାଇଁ କାଳ ସାଜିବାକୁ ଯାଉଛି । ମାତ୍ର ଦୁଇ ବର୍ଷ ତଳେ ତିଆରି ହୋଇଥିବା ନୂଆପଡା ଜିଲ୍ଲା ସିନାପାଲି ଲିଟିଗୁଡାର ଅଙ୍ଗନବାଡି ଘର ଫାଟି ଆଁ କରିଛି । ପିଲାଙ୍କ ପାଇଁ ଏ ଘର ଏବେ ବିପଦ ପାଲଟିଥିବାବେଳେ ଉପରିସ୍ଥ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ସେପଟେ ଅଙ୍ଗନବାଡି ଘର ସୁରକ୍ଷିତ ନଥିବାରୁ ଅଭିଭାବକ ବି ଚିନ୍ତାରେ ।
ତେବେ ଠିକାଦାରଙ୍କ ନିମ୍ନମାନର କାମ ପାଇଁ ଏପରି ହୋଇଥିବା କୁହାଯାଉଛି । ଯାହାକି ବିପଦକୁ ଆମନ୍ତ୍ରଣ କରୁଛି । ସେପଟେ ଏହାକୁ ନେଇ ସ୍ଥାନୀୟ ଜନ ପ୍ରତିନିଧିମାନେ ବି ହାତ ଟେକି ଦେଇଛନ୍ତି । ଅଙ୍ଗନବାଡି ଘର ମରାମତିରେ ପଞ୍ଚାୟତର କୌଣସି ଭୂମିକା ନାହିଁ ବୋଲି ସରପଞ୍ଚ କହୁଥିବାବେଳେ ଆଗାମୀ ଦିନରେ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ।
ସେହିପରି ଅଙ୍ଗନବାଡି କର୍ମୀ ସୁନିତା ତାଣ୍ଡି ମଧ୍ୟ ନିୟମିତ ଆସୁନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଯାହା ଏଠାକାର ପ୍ରାରମ୍ଭିକ ଶିକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ