ନୂଆପଡା: ଜିଲ୍ଲାର ହଳଦୀ ଗାଁରେ ବଣୁଆ ଭାଲୁର ଆତଙ୍କ । ଭାଲୁ ଆକ୍ରମଣରେ ସେହି ଗାଁର ଏକ ଦମ୍ପତି ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ଛବି ଲାଲ ପାଣ୍ଡେ ଏବଂ ତାଙ୍କ ସ୍ତ୍ରୀ ଭାଗାଦେଇ ପାଣ୍ଡେ ।
ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ଭାଗାଦେଇ ଶୌଚ ପାଇଁ ଜଙ୍ଗଲ ପାଖ ଏକ ପୋଖରୀକୁ ଯାଇଥିଲେ । ଏହି ସମୟରେ ବଣୁଆ ଭାଲୁ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲା । ଖବର ପାଇ ଭାଗାଦେଇଙ୍କ ସ୍ବାମୀ ଛବିଲାଲ ଦୌଡି ଯାଇ ସ୍ତ୍ରୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଫଳରେ ସେ ମଧ୍ୟ ଭାଲୁ ହାବୁଡରେ ପଡି ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଦୁହିଁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବୁର୍ଲାକୁ ସ୍ଥାନାନ୍ତର କରିଥିଲେ ।
ତେବେ ଗତ 2018 ମସିହାରେ ହଳଦୀ ଗାଁରେ ଜଙ୍ଗଲୀ ବାଘର ଆତଙ୍କ ଲାଗିରହିଥିଲା । ସେ ସମୟରେ ଏକ ମହାବଳ ବାଘ ଚାରି ବର୍ଷର ଶିଶୁ ଛଗନ ପାଣ୍ଡେକୁ ମାଆ କୋଳରେ ଶୋଇଥିବା ଅବସ୍ଥାରେ ଘରୁ ଟେକି ନେଇଥିଲା । ପରେ ବନବିଭାଗ ପକ୍ଷରୁ ଉକ୍ତ ବାଘକୁ ଯନ୍ତାରେ ଧରି ନନ୍ଦନକାନନ ନିଆଯାଇଥିଲା । ଉକ୍ତ ଘଟଣା ପରଠାରୁ ହଳଦୀ ଗାଁରେ ବାଘ ଆତଙ୍କ ଲାଗିଥିଲା । ଆଉ ଏବେ ଗ୍ରାମବାସୀଙ୍କୁ ଘାରିଛି ଭାଲୁ ଭୟ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ